କରୋନା ମୃତ୍ୟୁ କ୍ଷତିପୂରଣ ମିଥ୍ୟା ଦାବି ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୪।୩ : କରୋନା ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ନକଲି ମେଡ଼ିକାଲ ପ୍ରମାଣ ପତ୍ର ଦାଖଲକୁ ନେଇ ସୋମବାର ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ପ୍ରମାଣପତ୍ର ଦ୍ୱାରା ଅଯୋଗ୍ୟ ଲୋକେ ଅନୁକମ୍ପାମୂଳକ କ୍ଷତିପୂରଣ ନେଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ।

ପୂର୍ବରୁ ମାର୍ଚ୍ଚ ୭ରେ ଏହି ମାମଲାର ଶୁଣାଣି କରି ବିଚାରପତି ଏମ୍‌.ଆର୍‌. ଶାହା ଏବଂ ବି.ଭି.ନାଗରତ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଯାଞ୍ଚ୍‌ ନିର୍ଦ୍ଦେଶ ଜାରି କରିଥିଲେ। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସିଏଜିଙ୍କ ଅଡିଟ୍‌ ପାଇଁ ପରାମର୍ଶ ଦେଇଛନ୍ତି। ଗତ ସପ୍ତାହରେ କେନ୍ଦ୍ର ସରକାର ଏବଂ ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ମାମଲା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ କ୍ଷତିପୂରଣ ପାଇଁ ଆରଟି ପିସିଆର ପରୀକ୍ଷାର ପ୍ରମାଣ ପତ୍ର ଆବଶ୍ୟକତା ନାହିଁ।

ଏକ୍ଷେତ୍ରରେ ଡାକ୍ତରଙ୍କ ଦ୍ୱାରା ଜାରି ହୋଇଥିବା ପ୍ରମାଣପତ୍ରକୁ ଗ୍ରହଣ କରାଯାଇପାରେ। ମାତ୍ର ଡାକ୍ତରଙ୍କ ଦ୍ୱାରା ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରାଯିବା ଦୁଃଖର ବିଷୟ। ଆଇନଜୀବୀ ଗୌରବ ବଂସଲଙ୍କ ପକ୍ଷରୁ ଦାଖଲ ହୋଇଥିବା କରୋନା ମୃତ୍ୟୁ କ୍ଷତିପୂରଣ ଆବେଦନର ବିଚାର କରି ଶୀର୍ଷକୋର୍ଟ ଏଭଳି କହିଛନ୍ତି। ସୂଚନାଯୋଗ୍ୟ,କରୋନା ମୃତ୍ୟୁ କ୍ଷେତ୍ରରେ ୫୦ ହଜାର ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବାକୁ ଶୀର୍ଷକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ଏଥିରେ ନକଲି ପ୍ରମାଣ ପତ୍ର ବ୍ୟବହାର କରାଯାଉଥିବାରୁ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି।

Share