ନୂଆଦିଲ୍ଲୀ,୨।୮: ବଳାତ୍କାର କରିଥିବା ପୂର୍ବ ପାଦ୍ରୀଙ୍କୁ ବିବାହ ପାଇଁ ପୀଡ଼ିତାଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇଯାଇଛି। କେରଳର କୋଟିୟୁରରେ ବାସ କରୁଥିବା ପୀଡିତା ତାଙ୍କୁ ବଳାତ୍କାର କରିଥିବା ପୂର୍ବତନ ପାଦ୍ରୀଙ୍କୁ ବିବାହ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ। ଏବେ ପୂର୍ବ ପାଦ୍ରୀ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। ଏହା ସହିତ କୋର୍ଟ ପୂର୍ବ ପାଦ୍ରୀଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ପୂର୍ବ ପାଦ୍ରୀ ସମ୍ପୃକ୍ତ ପୀଡ଼ିତାଙ୍କୁ ବିବାହ କରିବାକୁ ଉଛୁକ ଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ। ଘଟଣା ସମୟରେ ପୀଡିତା ନାବାଳିକା ଥିଲେ ଏବଂ ଜଣେ ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଥିଲେ।
ବିଚାରପତି ଭିନିତ୍ ସରନ ଏବଂ ଦୀନେଶ ମାହେଶ୍ୱରୀଙ୍କ ନେତୃତ୍ୱରେ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହାର ବିଚାର କରି କହିଛନ୍ତି ଯେ, ହାଇକୋର୍ଟ ଏକ ସଚେତନ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ତାଙ୍କ ରାୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହୁଁ। ତେବେ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଯେ, ପୀଡିତା ପୂର୍ବତନ ପାଦ୍ରୀଙ୍କୁ ବିବାହ କରିବା ଲାଗି ଟ୍ରାଏଲ କୋର୍ଟରେ ଆବେଦନ କରିପାରିବେ।
ପୂର୍ବ ପାଦ୍ରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ଜର୍ଜ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ ଯେ, ବିବାହ ସମ୍ବନ୍ଧରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ମୌଳିକ ଅଧିକାର ପରିସରଭୁକ୍ତ। ଖଣ୍ଡପୀଠ ଜର୍ଜଙ୍କୁ ପୀଡିତା ଏବଂ ପୂର୍ବତନ ପାଦ୍ରୀଙ୍କ ବୟସ କେତେ ବୋଲି ପଚାରିଥିଲେ। ଜର୍ଜ କହିଥିଲେ ପୂର୍ବ ପାଦ୍ରୀଙ୍କ ବୟସ ୪୯ ବର୍ଷ ବେଳେ ପୀଡ଼ିତାଙ୍କ ବୟସ ୨୫। ସର୍ବୋଚ୍ଚ ଅଦାଲତ ଜର୍ଜଙ୍କୁ କହିଛନ୍ତି ଯେ ଆପଣ ନିଜେ ହାଇକୋର୍ଟରୁ ବିସ୍ତୃତ ନିର୍ଦ୍ଦେଶନାମା ଆମନ୍ତ୍ରିତ କରିଛନ୍ତି ଏବଂ ଏଥିରେ ହସ୍ତକ୍ଷେପ କରିବା ଅନାବଶ୍ୟକ।
ପୀଡ଼ିତାଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ କିରଣ ସୁରୀ କହିଛନ୍ତି ଯେ, ସେ ଅଭିଯୁକ୍ତଙ୍କ ପାଇଁ ଦୁଇ ମାସର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରିଛନ୍ତି। ଏହି ସମୟ ମଧ୍ୟରେ ପୂର୍ବ ପାଦ୍ରୀ ପୀଡ଼ିତାଙ୍କୁ ବିବାହ କରିପାରିବେ ଏବଂ ତାଙ୍କର ଚାରି ବର୍ଷର ଶିଶୁକୁ ଆଇନଗତ ସୁବିଧା ସୁଯୋଗ ପ୍ରଦାନ କରିପାରିବେ।