ଅନାଥ ଶିଶୁଙ୍କ ଥଇଥାନ ରିପୋର୍ଟ ଲୋଡିଲେ ସୁପ୍ରିମ୍‌କୋର୍ଟ, ସମସ୍ତ ରାଜ୍ୟକୁ ନୋଟିସ୍‌…

ନୂଆଦିଲ୍ଲୀ,୩୧।୧୦: କରୋନା ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁମାନଙ୍କର ଥଇଥାନ ରିପୋର୍ଟ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଲୋଡା ଯାଇଛି। ସୁପ୍ରିମକୋର୍ଟ ରାଜ୍ୟଗୁଡିକରୁ ସ୍ଥିତି ସମ୍ପର୍କରେ ରିପୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଲୋଡ଼ିଛନ୍ତି। ଏନେଇ ଶୀର୍ଷକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। କରୋନା ମହାମାରୀ ସମୟରେ ଶିଶୁ ସୁରକ୍ଷା ଗୃହରେ ଥିବା ପିଲାଙ୍କ ସମ୍ପର୍କରେ ତଥ୍ୟ ଦାଖଲ କରିବା ଲାଗି କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବିଚାରପତି ନାଗେଶ୍ୱର ରାଓ ଏବଂ ବି.ଆର୍‌. ଗଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୦୨୦ରେ ଏନ୍‌ସିପିସିଆର୍‌ ଦ୍ୱାରା କରୋନା ଯୋଗୁ ଅନାଥ ହୋଇଥିବା ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) କାର୍ଯ୍ୟକାରୀ ହେବା ନେଇ ସ୍ଥିତି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆମିକସ କ୍ୟୁରି ଗୌରବ ଅଗ୍ରୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ କରୋନା ମହାମାରୀ ଯୋଗୁ ନିଜର ମାତା ଅବା ପିତା କିମ୍ବା ଉଭୟଙ୍କୁ ହରାଇଥିବା ଅନାଥ ଶିଶୁମାନଙ୍କର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଉଲ୍ଲେଖ କରାଯାଇଥିଲା।

ଆମିକସ କ୍ୟୁରି ଏବଂ ପରାମର୍ଶଦାତା ସୁଶ୍ରୀ ଅନୀତା ଶେନୋ ଏବଂ ସୁଶ୍ରୀ କ୍ରିଷ୍ଟି ଅଗ୍ନିହୋତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏସ୍‌ଓପି ଡ୍ରାଫ୍ଟକୁ ସର୍ବୋଚ୍ଚ ନ୍ୟାୟାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାର ଏବଂ ସମସ୍ତ ହାଇକୋର୍ଟଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉତ୍ତର ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ହେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ ଅପରାହ୍ନ ୨ଟାରେ ହେବ ବୋଲି କୋର୍ଟ କହିଛନ୍ତି।

Share