Categories: ଜାତୀୟ

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଶିଶୁର ଅଧିକାର ସର୍ବୋପରି

ନୂଆଦିଲ୍ଲୀ,୩୧।୧୦: ଶିଶୁ ମା’ ଅବା ପିତା କାହା ପାଖରେ ରହିଲେ ଭଲ। ଏନେଇ ଏକ ମାମଲାରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଶିଶୁର ଅଧିକାର ସର୍ବୋପରି। ତେଣୁ ସେ ମା’ ପାଖରେ ରହିବା ଉଚିତ। ଏନେଇ ମା’ଙ୍କୁ କୋର୍ଟ ପକ୍ଷରୁ ଜାରି ହୋଇଥିବା ସର୍ତ୍ତ ପାଳନ କରିବାକୁ ପଡ଼ିବ ବୋଲି ରାୟରେ କୁହାଯାଇଛି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ୨୦୧୮ ଜାନୁୟାରୀ ୪ରେ ବେଙ୍ଗାଲୁରୁର ଫ୍ୟାମିଲି କୋର୍ଟରେ ଜଣେ ଶିଶୁଙ୍କୁ ଭାରତ ବାହାରକୁ ନେବା ଲାଗି ପାସପୋର୍ଟ ଅନୁମତି ଲୋଡୁଥିବା ଜଣେ ମହିଳାଙ୍କ ଆବେଦନକୁ କାରଜ କରିଦେଇଥିଲେ। ଏହାପରେ ସେ ହାଇକୋର୍ଟରେ ଅପିଲ କରିଥିଲେ। ହାଇକୋର୍ଟ ଫ୍ୟାମିଲି କୋର୍ଟ ରାୟକୁ କାଏମ୍‌ ରଖିଥିଲେ। ଏହାପରେ ମହିଳା ଜଣକ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମହିଳା ଜଣକ ସିଙ୍ଗାପୁରରେ ଚାକିରି କରନ୍ତି। ତେବେ ତାଙ୍କ ସ୍ବାମୀ ବେଙ୍ଗାଲୁରୁରେ ରୁହନ୍ତି। ୭ ବର୍ଷ ବୟସ୍କ ଶିଶୁ କାହା ପାଖରେ ରହିବ ସେନେଇ ବିବାଦ ସୃଷ୍ଟି ହୋଇଥିଲା। ସୁପ୍ରିମ୍‌କୋର୍ଟ ଅନୁଚ୍ଛେଦ-୧୪୨ ଆଧାରରେ ଏହି ରାୟ ଦେଇଛନ୍ତି। ତେବେ ରାୟ ଅନୁସାରେ ପିତା ଶନିବାର ଏବଂ ରବିବାର ଭିଡ଼ିଓ କନଫରେନ୍ସିଂ ଦ୍ୱାରା ଘଣ୍ଟାଏ କଥା ହୋଇପାରିବେ। ଅବଶିଷ୍ଟ ୫ ଦିନ ୫ରୁ ୧୦ ମିନିଟ୍‌ କଥାବାର୍ତ୍ତା ହେବାର ସୁଯୋଗ ଦିଆଯିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶିଶୁଙ୍କ ପାସପୋର୍ଟ ମା’ଙ୍କୁ ହସ୍ତାନ୍ତର କରିବା ଲାଗି କୋର୍ଟ ପିତାଙ୍କୁ ଆଦେଶ ଦେଇଛନ୍ତି। ଶିଶୁଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ କଥାବାର୍ତ୍ତା ହେବା ସମୟରେ ସେ ମା’ଙ୍କ ସହିତ ରହିବା ଲାଗି ସଙ୍କେତ ଦେଇଥିଲେ।

Share