Categories: ଜାତୀୟ

ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌

ନୂଆଦିଲ୍ଲୀ,୧୧।୭: କୋର୍ଟ ଆଦେଶ ଅବମାନନା ମାମଲାରେ ସୋମବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଚାରିମାସ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଦୁଇ ହଜାର ଟଙ୍କା ଜୋରିମନା ମଧ୍ୟ କରାଯାଇଛି। ଜୋରିମନା ନ ଦେଲେ ତାଙ୍କୁ ଅତିରିକ୍ତ ଦୁଇ ମାସ ଜେଲ ଦଣ୍ଡ ମିଳିବ। ଏହା ବ୍ୟତୀତ ବିଦେଶକୁ ଟ୍ରାନ୍ସଫର କରାଯାଇଥିବା ୪୦ ମିଲିୟନ ଡଲାରକୁ ମଧ୍ୟ ୪ ସପ୍ତାହ ମଧ୍ୟରେ ଜମା କରିବାକୁ କୁହାଯାଇଛି। ସୁପ୍ରିମକୋର୍ଟରେ ଜଷ୍ଟିସ ୟୁ ୟୁ ଲଲିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ବିଦେଶୀ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ ସମ୍ପର୍କରେ ମାଲ୍ୟା କେବଳ କୋର୍ଟଙ୍କୁ ଭୁଲ ସୂଚନା ଦେଇନାହାଁନ୍ତି, ବରଂ ଗତ ୫ ବର୍ଷ ଧରି କୋର୍ଟରେ ହାଜର ନ ହୋଇ କୋର୍ଟର ଅବମାନନା କରିଛନ୍ତି। ୨୦୧୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବମାନନା ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଫେବୃଆରୀ ୧୦ରେ ଶୁଣାଣି ସ୍ଥଗିତ ରଖିଥିବାବେଳେ ସୁପ୍ରିମକୋର୍ଟ ମାଲ୍ୟାଙ୍କୁ ତାଙ୍କ ମାମଲା ଉପସ୍ଥାପନ କରିବାର ଶେଷ ସୁଯୋଗ ଦେଇଥିଲେ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି ଦୋଷୀ ପରବର୍ତ୍ତୀ ଶୁଣାଣିରେ ହାଜର ହୁଅନ୍ତି ନାହିଁ କିମ୍ବା ତାଙ୍କ ଓକିଲଙ୍କ ମାଧ୍ୟମରେ ତାଙ୍କ ପକ୍ଷ ଉପସ୍ଥାପନ କରନ୍ତି ନାହିଁ, ତେବେ ଦଣ୍ଡ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହେବ ନାହିଁ।
ସୂଚନାଯୋଗ୍ୟ,ମାଲ୍ୟା କିଛି ଆଇନଗତ କୌଶଳ ଆପଣାଇ ବ୍ରିଟେନରେ ବସିଛନ୍ତି। ସେ ସେଠାରେ କିଛି ଗୁପ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Share