Categories: ଜାତୀୟ

କେନ୍ଦ୍ର,ଆସାମ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ ଜାରି…

ନୂଆଦିଲ୍ଲୀ,୨୩।୫ : ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଆସାମ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ପରିବେଶ କାର୍ଯ୍ୟକର୍ତ୍ତା ରୋହିତ ଚୌଧୁରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା ଜାରି କରିଛନ୍ତି। ଏହି ଆବେଦନରେ ରୋହିତ ବିଳମ୍ବ ନକରି ପୋବିତୋରା ୱାଇଲ୍ଡ ଲାଇଫ ଅଭୟାରଣ୍ୟର ସୀମା ନିର୍ଦ୍ଦିଷ୍ଟ କରିବାକୁ କୋର୍ଟଙ୍କଠାରୁ ନିର୍ଦ୍ଦେଶ ଲୋଡିଥିଲେ।

ଜଷ୍ଟିସ ବି.ଆର ଗାଭାଇ, ବିକ୍ରମ ନାଥ ଏବଂ ସଞ୍ଜୟ କୌଲଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତର ତିନିଜଣିଆ ଖଣ୍ଡପୀଠ ଆସାମର ବନ୍ୟଜନ୍ତୁ ଅଭୟାରଣ୍ୟ ସମ୍ପର୍କରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି। ଏହି ଆବେଦନରେ ଦର୍ଶାଯାଇଛି ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ୧୯୯୮ ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଅଭୟାରଣ୍ୟର ସୀମା ଏପର୍ଯ୍ୟନ୍ତ ସଠିକ ଭାବରେ ଚିହ୍ନଟ କରାଯାଇ ନାହିଁ। ଜିଲା ପ୍ରଶାସନ ଏପର୍ଯ୍ୟନ୍ତ ଅଭୟାରଣ୍ୟର ଏକ ଅଂଶ ଖାସ ଭୁମି ସରକାରୀ ନିୟନ୍ତ୍ରିତ ଜମି ନିୟନ୍ତ୍ରଣକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିନାହିଁ।

ସୁପ୍ରିମକୋର୍ଟଙ୍କ ୧୧ ଡିସେମ୍ବର ୨୦୧୮ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା କରି ଅଭୟାରଣ୍ୟର ଚତୁର୍ଦ୍ଦିଗକୁ ଏକ ଇକୋ-ସମ୍ବେଦନଶୀଳ ଜୋନ (ଇଏସଜେଡ) ବୋଲି ଘୋଷଣା କରିବା ପାଇଁ ଅଧିକାରୀମାନେ କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ଆବେଦନରେ ଉଲ୍ଳେଖ କରାଯାଇଛି। ୧୭ ମାର୍ଚ୍ଚ ୧୯୯୮ ତାରିଖର ବିଜ୍ଞପ୍ତି ଅନୁଯାୟୀ ପୋବିତୋରା ୱାଇଲ୍ଡ ଲାଇଫ ଅଭୟାରଣ୍ୟର ସୀମା ନିର୍ଦ୍ଧାରଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

Share