Categories: ଜାତୀୟ

‘ଦ କେରଲା ଷ୍ଟୋରି’କୁ ବ୍ୟାନ କରିବା ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଫିଲ୍ମ ‘ଦ କେରଲା ଷ୍ଟୋରି’ ମାମଲାର ଶୁକ୍ରବାର ଶୁଣାଣି କରିଛନ୍ତି। ଶୁଣାଣି କରି ଫିଲ୍ମ ବ୍ୟାନକୁ ନେଇ ପଶ୍ଚିମବଙ୍ଗ ସରକାର ଏବଂ ତାମିଲନାଡୁ ସରକାରଙ୍କୁ ଜବାବ ମାଗିଛନ୍ତି। ଏଥିସହ ପଶ୍ଚିମବଙ୍ଗ ସରକାରଙ୍କୁ କୋର୍ଟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଏହି ଫିଲ୍ମ ମେ’ ୫ରେ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିନ୍ତୁ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥି ସହିତ ତାମିଲନାଡୁର ପ୍ରେକ୍ଷାଳୟରେ ମଧ୍ୟ ସ୍କ୍ରିନିଂ କରାଯାଉନାହିଁ। ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଫିଲ୍ମଟି ଭଲ କି ଖରାପ ତାହା ଲୋକମାନେ ସ୍ଥିର କରନ୍ତୁ। ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ ହେବ ବୋଲି ସୂଚନା ମିଳିଛି।

ଶୁଣାଣି ସମୟରେ ଫିଲ୍ମ ନିର୍ମାତାଙ୍କ ଓକିଲ ହରିଶ ସାଲଓ୍ବେ କହିଛନ୍ତି, ମେ’ ୫ ରେ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଟ(ସିବିଏଫସି) ପ୍ରମାଣପତ୍ର ପରେ ଫିଲ୍ମ ମୁକ୍ତିଲାଭ କରିଥିଲା। ପଶ୍ଚିମବଙ୍ଗ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି। ତାମିଲନାଡୁରେ ମଧ୍ୟ ଫିଲ୍ମ ପ୍ରଦର୍ଶିତ ହେବାକୁ ଦିଆଯାଉନାହିଁ। ସୁପ୍ରିମକୋର୍ଟ ପୂର୍ବରୁ ଅନେକ ମାମଲାରେ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକକୁ ବାତିଲ କରିସାରିଛନ୍ତି ଏବଂ ଆଇନଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହା ପରେ ସିଜେଆଇ କହିଛନ୍ତି, ଆମେ ନୋଟିସ ଜାରି କରିଦେବୁ। ଖୁବ୍‌ଶୀଘ୍ର ଶୁଣାଣି ହେବ।

Share