Categories: ଜାତୀୟ

‘ସୁପ୍ରିମକୋର୍ଟ ବିଚାରପତି ବ୍ୟଙ୍ଗ ଊର୍ଦ୍ଧ୍ୱରେ ନୁହନ୍ତି’

ନୂଆଦିଲ୍ଲୀ, ୩୦।୧ : ସୁପ୍ରିମକୋର୍ଟ ବିଚାରପତିମାନେ ଖୁବ୍‌ ପ୍ରଭାବଶାଳୀ କିନ୍ତୁ ସେମାନେ ବ୍ୟଙ୍ଗର ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ହାସ୍ୟାଭିନେତା କୁନାଲ କମ୍ରା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରିବା ସହ ଏହାର ବ୍ୟଙ୍ଗଚିତ୍ର କରି ମର୍ଯ୍ୟାଦା ହାନି କରିଥିବା ଅଭିଯୋଗରେ କୁନାଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିଛି। ତେବେ ସେ ସୁପ୍ରିମକୋର୍ଟଙ୍କ ରାୟ ଉପରେ କରିଥିବା ଟୁଇଟ୍‌ ପାଇଁ କ୍ଷମା ମାଗିବାକୁ ମନା କରିଦେଇଛନ୍ତି। ତାଙ୍କ ବ୍ୟଙ୍ଗ ବିଚାରପତି ଓ ସେମାନଙ୍କ କାର୍ଯ୍ୟରେ ବାଧକ ନୁହେଁ ବୋଲି କୁନାଲ ଯୁକ୍ତି ବାଢ଼ିଥିଲେ। ବ୍ୟଙ୍ଗ କିମ୍ବା ପରିହାସ ଯୋଗୁ ବିଚାରପତିଙ୍କ ସମେତ କୌଣସି ଉଚ୍ଚ କର୍ତ୍ତୃପକ୍ଷ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନରେ ଅସମର୍ଥ ହେବେ ଏହା ସେ ବିଶ୍ୱାସ କରୁନାହାନ୍ତି ବୋଲି କହିଥିଲେ। ଅନାଦର ଓ ଅତିଶୟୋକ୍ତି ହାସ୍ୟ ଉଦ୍ୟୋଗର ଦୁଇଟି ଅତ୍ୟାବଶ୍ୟକ ଉପଦାନ। ପ୍ରଭାବଶାଳୀ ବ୍ୟକ୍ତି ଓ ସଂସ୍ଥା ଯଦି ସମାଲୋଚନା ଓ ନିନ୍ଦା ସହିବାରେ ଅସମର୍ଥତା ପ୍ରଦର୍ଶନ କରନ୍ତି, ତେବେ ଆମେ ଅସଙ୍ଗଠିତ କଳାକାରର ଦେଶକୁ ଖସିଯିବା ବୋଲି ହାସ୍ୟାଭିନେତା କହିଥିଲେ। ଅଦାଲତ ଯଦି ଭାବୁଥାନ୍ତି ସେ ସୀମା ଅତିକ୍ରମ କରିଯାଇଛନ୍ତି ଓ ତାଙ୍କ ଇଣ୍ଟରନେଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାଟିଦେବାକୁ ଚାହୁଁଛନ୍ତି, ତାହା ପରେ ମଧ୍ୟ ସେ ପ୍ରତିବର୍ଷ ଅଗଷ୍ଟ ୧୫ରେ ତାଙ୍କ କଶ୍ମୀର ବନ୍ଧୁମାନଙ୍କ ଭଳି ହାପି ଇଣ୍ଡିପେଣ୍ଡେନ୍ସ ଡେ ପୋଷ୍ଟକାର୍ଡ ଲେଖିବେ ବୋଲି କହିଥିଲେ। ଡିସେମ୍ବର ୧୮ରେ ସୁପ୍ରିମକୋର୍ଟ କୁନାଲଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ୍‌ ଜାରି କରିଥିଲେ।

 

Share