Categories: ଜାତୀୟ

ଲଖିମପୁର ଖେରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି

ଲକ୍ଷ୍ନୌ,୨୬।୯: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ କୃଷକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଆଶିଷ ମିଶ୍ରାଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦେଇଛନ୍ତି। ତାଙ୍କର ଅସୁସ୍ଥ ମା’ ଏବଂ ଝିଅର ଯତ୍ନ ନେବାକୁ ତାଙ୍କୁ ଛୁଟି ଦିଆଯାଇଛି। ଏହା ବ୍ୟତୀତ ଗଣମାଧ୍ୟମରେ କୌଣସି ବୟାନ ନ ଦେବାକୁ କୋର୍ଟ ସର୍ତ୍ତ ରଖିଛନ୍ତି।

ଏହାପୂର୍ବରୁ ଆଶିଷଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ ଏକ ସର୍ତ୍ତ ରଖିଥିଲେ ଯେ, ସେ ୟୁପି କିମ୍ବା ଦିଲ୍ଲୀରେ ରହିପାରିବେ ନାହିଁ। ତେବେ ଉତ୍ତରପ୍ରଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଜାରି ରହିଛି। ସୂଚନାଯୋଗ୍ୟ, ୨୦୨୧ ଗାଡି ଦ୍ୱାରା ଚାପି ହୋଇ କୃଷକଙ୍କୁ ହତ୍ୟା ମାମଲାରେ ଆଶିଷ ମୁଖ୍ୟ ଅଭିଯୁକ୍ତ ହୋଇଥିଲେ। ଏକ ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ତାଙ୍କୁ ଚଳିତ ବର୍ଷ ଜାନୁୟାରୀ ୨୫ ରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

 

Share