Categories: ଜାତୀୟ

ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ମନା କଲେ ଏସ୍‌ସି

ନୂଆଦିଲ୍ଲୀ,୮।୭: ଦେଶରେ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଏହା ଏତେ ବ୍ୟାପକ ଯେ ଏହାକୁ ନ୍ୟାୟିକ ଭାବେ ଗୋଟିଏ ଆବେଦନରେ ସାମିଲ କରାଯାଇପାରିବ ନାହିଁ। ଜଷ୍ଟିସ ଏସ.କେ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଏକ ବେଞ୍ଚ ଉଲ୍ଲେଖ କରିଛି , ଏହି ଆବେଦନରେ ଉଠାଯାଇଥିବା ଅଧିକାଂଶ ପ୍ରସଙ୍ଗ ତାମିଲନାଡୁର ଏବଂ ଆବେଦନକାରୀମାନେ ଉପଯୁକ୍ତ ସହାୟତା ପାଇଁ ରାଜ୍ୟ ହାଇକୋର୍ଟଙ୍କ ନିକଟକୁ ଯାଇପାରିବେ।

ଦକ୍ଷିଣ ରାଜ୍ୟ ନିବାସୀ ଆବେଦନକାରୀ ବେଞ୍ଚକୁ କହିଛନ୍ତି ଯେ, ତାଙ୍କ ନିବେଦନ ସଡ଼କ ସୁରକ୍ଷାକୁ ନେଇ ଏବଂ ଦେଶରେ ପ୍ରତିବର୍ଷ ପାଞ୍ଚ ଲକ୍ଷରୁ ଅଧିକ ଦୁର୍ଘଟଣା ଘଟୁଛି। ଯେତେବେଳେ ଆବେଦନକାରୀ କହିଥିଲେ ଯେ ସଡ଼କ ଦୁର୍ଘଟଣା ମାମଲାରେ ଗୋଟିଏ ସ୍ଥାନରେ ଚିକିତ୍ସା ମିଳିପାରିବନାହିଁ, ବେଞ୍ଚ କହିଛନ୍ତି ଯେ ଦୁର୍ଘଟଣା ମାମଲାକୁ ସମନ୍ବିତ ଭାବେ ସୁବ୍ୟବସ୍ଥିତ କରାଯାଇଛି।

ବେଞ୍ଚ କହିଛନ୍ତି, ଆପଣଙ୍କର ଉତ୍ତମ ଉଦ୍ଦେଶ୍ୟ ଥାଇପାରେ କିନ୍ତୁ ସେଗୁଡିକ ଏତେ ବ୍ୟାପକ ଯେ ଏହା ଗୋଟିଏ ଆବେଦନରେ ନ୍ୟାୟିକ ଭାବରେ ସାମିଲ କରାଯାଇପାରିବନାହିଁ। ଏହି ଆବେଦନକୁ ଖଣ୍ଡନ କରିବାବେଳେ କୋର୍ଟ କହିଛନ୍ତି ଯେ ଯଦି ଆବେଦନକାରୀମାନେ ତାମିଲନାଡୁ ରାଜ୍ୟ ପାଇଁ କିଛି ନିର୍ଦ୍ଧିଷ୍ଟ ଆଶ୍ୱସ୍ତି ଚାହାଁନ୍ତି, ତେବେ ସେମାନେ ହାଇକୋର୍ଟଙ୍କ ନିକଟରେ କରିପାରିବେ।

Share