Categories: ଜାତୀୟ

ଅଭିଯୁକ୍ତ ଗୁଗଲ ମ୍ୟାପ୍‌ ପିନ୍‌ ଦେବା ଜାମିନ୍‌ ସର୍ତ୍ତକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୯ା୭: ଅଭିଯୁକ୍ତଙ୍କ ଉପରେ ପୋଲିସ କ୍ରମାଗତ ନଜର ରଖିବା ଏବଂ ଭର୍ଚୁଆଲ୍‌ରେ ତାଙ୍କ ପ୍ରିଭେସିରେ ହସ୍ତକ୍ଷେପ କରିବାକୁ ଜାମିନ ସର୍ତ୍ତାବଳୀ ରଖାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଅଭିଯୁକ୍ତଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ସେ ତଦନ୍ତକାରୀ ଅଫିସରଙ୍କୁ ଗୁଗଲ୍‌ ମ୍ୟାପ୍‌ ପିନ୍‌ ଦେବା ସର୍ତ୍ତ ରହିବା ଜରୁରୀ କି ନାହିଁ ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଉଜ୍ଜଲ ଭୁୟଁାଙ୍କ ଖଣ୍ଡପୀଠ ତାହାର ତର୍ଜମା କରିଥିଲେ। ଏହା ବ୍ୟକ୍ତିଙ୍କ ଗୋପନୀୟତା ଅଧିକାରର ଉଲ୍ଲଂଘନ ଦର୍ଶାଇ ଖଣ୍ଡପୀଠ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ର ଗୁଗଲ ମ୍ୟାପ୍‌ ପିନ୍‌ ଶେୟାର କରିବା ଜାମିନ ସର୍ତ୍ତକୁ ଖାରଜ କରିଦେଇଛନ୍ତି। ଜାମିନର ମୁଖ୍ୟ ଲକ୍ଷ୍ୟକୁ ଅଣଦେଖା କରି ସର୍ତ୍ତାବଳୀ ରଖାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ଓକା ତାଙ୍କ ରାୟରେ କହିଛନ୍ତି। ଏଥିସହ ବିଦେଶୀ ଅଭିଯୁକ୍ତ ଭାରତ ଛାଡ଼ିବେ ନାହିଁ ବୋଲି ତାଙ୍କ ଦୂତାବାସ ପ୍ରତିଶ୍ରୁତି ପତ୍ର ଉପସ୍ଥାପନ କରିବା ସର୍ତ୍ତକୁ ମଧ୍ୟ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ନିଶାଦ୍ରବ୍ୟ କାରବାର ମାମଲାରେ ନାଇଜେରୀୟ ଅଭିଯୁକ୍ତ ଫ୍ରାଙ୍କ ଭିଟସ୍‌ଙ୍କୁ ଅନ୍ତରୀଣ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ରଖିଥିବା ସର୍ତ୍ତାବଳୀ ବିରୋଧରେ ସେ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ଦାଏର କରିଥିଲେ। ଅଭିଯୁକ୍ତ ଓ ସହଅଭିଯୁକ୍ତ ସେମାନଙ୍କ ଗୁଗଲ ମ୍ୟାପ୍‌ ପିନ୍‌ ତଦନ୍ତକାରୀ ଅଫିସରଙ୍କ ନିକଟରେ ଦାଖଲ କରିବା ପାଇଁ ୨୦୨୨ରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଜାମିନ କାଳରେ ଭାରତ ନ ଛାଡ଼ିବା ପାଇଁ ନାଇଜେରିଆ ଉଚ୍ଚାୟୁକ୍ତଙ୍କଠାରୁ ପ୍ରତିଶ୍ରୁତି ପତ୍ର ଆଣିବାକୁ କହିଥିଲେ। ଗୁଗଲ୍‌ ପିନ୍‌ର କାର୍ଯ୍ୟ ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି ବେଳେ ଗୁଗଲ ଇଣ୍ଡିଆ ଏବଂ ଗୁଗଲ୍‌ ଏଲ୍‌ଏଲ୍‌ସିକୁ ସ୍ପଷ୍ଟୀକରଣ ମାଗିଥିଲେ। ଏହା ସମ୍ବିଧାନର ଅନୁଚ୍ଛେଦ ୨୧ର ଅଧିକାରକୁ ଉଲ୍ଲଂଘନ କରୁଥିବା ଜାଣିବା ପରେ ଖଣ୍ଡପୀଠ ଉପରୋକ୍ତ ଜାମିନ ସର୍ତ୍ତାବଳୀକୁ ଖାରଜ କରିଦେଇଛନ୍ତି।

Share