Categories: ଜାତୀୟ

ଏନ୍‌ଇଇଟି-ପିଜି: ପୁଣି କାଉନସେଲିଂ ଆବେଦନ ଖାରଜ

ନୂଆଦିଲ୍ଲୀ,୧୧।୬: ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ୧,୪୫୬ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ କାଉନସେଲିଂ ପୁଣି ଥରେ କରିବା ଲାଗି ଦାଏର ଏକାଧିକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏନ୍‌ଇଇଟି-ପିଜିରେ ସର୍ବଭାରତୀୟ କୋଟା ପୂରଣ ଲାଗି ସ୍ବତନ୍ତ୍ର ଷ୍ଟ୍ରେ-ରାଉଣ୍ଡ କାଉନସେଲିଂ ନ କରିବା ପାଇଁ କେନ୍ଦ୍ର ସରକାର ଓ ମେଡିକାଲ କାଉନସିଲ୍‌ର ନିଷ୍ପତ୍ତିକୁ ସ୍ବେଚ୍ଛାଚାରୀ କୁହାଯାଇପାରିବ ନାହିଁ ବୋଲି ଜଷ୍ଟିସ ଏମ୍‌. ଆର୍‌. ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି। ଡାକ୍ତରୀ ଶିକ୍ଷା ମାନରେ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ aସ୍ପଷ୍ଟ କରିଦେଇଛନ୍ତି। ଡାକ୍ତରୀ ଶିକ୍ଷା ଏବଂ ସର୍ବସାଧାରଣ ସ୍ବାସ୍ଥ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏବଂ ମେଡିକାଲ କାଉନସେଲିଂ କମିଟି (ଏମ୍‌ସିସି) ସ୍ବତନ୍ତ୍ର ଷ୍ଟେ-ରାଉଣ୍ଡ କାଉନସେଲିଂ ନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏହାକୁ ସ୍ବେଚ୍ଛାଚାରୀ ନିଷ୍ପତ୍ତି ବୋଲି କୁହାଯାଇପାରିବ ନାହିଁ। ଶିକ୍ଷାବର୍ଷ ଆରମ୍ଭ ହେବାର ପ୍ରାୟ ଗୋଟିଏ ବର୍ଷ ପରେ ଏବଂ ୮ରୁ ୯ ପର୍ଯ୍ୟାୟ କାଉନସେଲିଂ ଶେଷ ହୋଇଥିବାବେଳେ ଖାଲି ଆସନରେ ନାମ ଲେଖାଇବା ପାଇଁ ଛାତ୍ରୀଛାତ୍ର ଆବେଦନ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ଏନ୍‌ଇଇଟି-ପିଜି-୨୦୨୧ର ସର୍ବଭାରତୀୟ କୋଟା ପାଇଁ ଷ୍ଟ୍ରେ-ରାଉଣ୍ଡ କାଉନସେଲିଂର ନିର୍ଦ୍ଦିଷ୍ଟ ସୀମା ରହିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ। ଶିକ୍ଷା ଓ ଜନସ୍ବାସ୍ଥ୍ୟ ସହ ସାଲିସ କରି ପିଲାଙ୍କୁ ନାମ ଲେଖାଇବାକୁ ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଥିଲେ।

Share