ନୂଆଦିଲ୍ଲୀ, ୨୮ା୩: ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍କିସ୍ ବାନୋଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ୧୧ ଜଣଙ୍କୁ ଗୁଜରାଟ ସରକାର ଗତବର୍ଷ ସ୍ବାଧୀନତା ଦିବସରେ ମୁକ୍ତ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବିଲ୍କିସ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏନେଇ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ଏଥିସହିତ ଦୋଷୀମାନଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ଜଷ୍ଟିସ କେ.ଏମ୍. ଯୋଶେଫ୍ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୮କୁ ଧାର୍ଯ୍ୟ କରିଛନ୍ତି। ଏହି ମାମଲା ସହ ଏକାଧିକ ପ୍ରସଙ୍ଗ ଯୋଡ଼ିହୋଇଥିବାରୁ ଏହାର ସବିଶେଷ ଶୁଣାଣି ଜରୁରୀ ବୋଲି ଖଣ୍ଡପୀଠ କହିଥିଲେ। ପରବର୍ତ୍ତୀ ଶୁଣାଣି ବେଳେ ଅପରାଧୀମାନଙ୍କୁ କ୍ଷମା ପ୍ରଦାନ ସମ୍ପର୍କିତ ଫାଇଲ ଉପସ୍ଥାପନ କରିବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭାବାବେଗରେ ଅଭିଭୂତ ନ ହୋଇ କେବଳ ଆଇନ ଅନୁଯାୟୀ ଯିବାକୁ ପଡ଼ିବ ବୋଲି ଖଣ୍ଡପୀଠ ମତ ଦେଇଥିଲେ।