Categories: ଜାତୀୟ

ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୩ା୭(ପି.ଟି.): ନ୍ୟାୟପାଳିକା ବିରୋଧରେ ଅସମ୍ମାନଜନକ ଟୁଇଟ୍‌ କରିଥିବା ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଏଥିସହିତ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ ମଧ୍ୟ ନୋଟିସ କରାଯାଇଛି। ଏହି ମାନହାନି ମାମଲାରେ ଟୁଇଟର ଇଣ୍ଡିଆ ପରିବର୍ତ୍ତେ ଟୁଇଟର ଆଇଏନ୍‌ସିକୁ ପକ୍ଷ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ଏହି କମ୍ପାନୀକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ସର୍ବୋଚ୍ଚ ଅଦାଲତ ନିଜ ଆଡ଼ୁ ଏହି ମାମଲା ବିଚାର ପାଇଁ ନେଇଥିଲେ। ଆଟର୍ନି ଜେନେରାଲଙ୍କୁ ଏହି ମାମଲାରେ ସହାୟତା କରିବା ଲାଗି ଖଣ୍ଡପୀଠ କହିବା ସହ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୫କୁ ଧାର୍ଯ୍ୟ କରାଯାଇଛି। ଜୁନ୍‌ ୨୭ ଓ ୨୯ରେ ପ୍ରଶାନ୍ତ ଭୂଷଣ ସର୍ବୋଚ୍ଚ ଅଦାଲତଙ୍କୁ ସମାଲୋଚନା କରି ଟୁଇଟ୍‌ କରିଥିଲେ।

Share