Categories: ଜାତୀୟ

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ। ପତଞ୍ଜଳି ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ସେତିକି ବଡ କି ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ହେବ।
ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ୬୭ଟି ଖବରକାଗଜରେ କ୍ଷମା ମଗାଯାଇଛି। ପତଞ୍ଜଳି ଆୟୁର୍ବେଦ ସୁପ୍ରିମକୋର୍ଟର ଗାରିମାକୁ ସମ୍ମାନ କରେ। ଭବିଷ୍ୟତରେ ଏଭଳି ଭୁଲ ଆଉ ହେବ ନାହିଁ ବୋଲି ପତଞ୍ଜଳି ତରଫରୁ ପ୍ରକାଶିତ କ୍ଷମା ପ୍ରାର୍ଥନାରେ କୁହାଯାଇଛି।
ସୁପ୍ରିମକୋର୍ଟ କହିଛନ୍ତି, ଏଫଏମସିଜି ମଧ୍ୟ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରୁଛି ଯାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି, ଯାହାଦ୍ୱାରା ଶିଶୁ, ବିଦ୍ୟାଳୟ ଯାଉଥିବା ପିଲା ଏବଂ ସେମାନଙ୍କ ଉତ୍ପାଦ ଖାଉଥିବା ବୟସ୍କ ନାଗରିକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଲାଇସେନ୍ସ କର୍ତ୍ତୃପକ୍ଷଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ କୋର୍ଟ କହିଛନ୍ତି।
ତିନି ବର୍ଷ ଧରି ବିଭ୍ରାନ୍ତିକର ବିଜ୍ଞାପନ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)ର ଅନୈତିକ ଆଚରଣ ସମ୍ପର୍କରେ ଅନେକ ଅଭିଯୋଗ ରହିଛି ବୋଲି କୋର୍ଟ କହିଛନ୍ତି।

Share