Categories: ଜାତୀୟ

ସୁପ୍ରିମକୋର୍ଟରେ ଉଦ୍ଧବ ସରକାରଙ୍କୁ ବଡ଼ ଝଟ୍‌କା: ଗୁରୁବାର ହେବ ଫ୍ଲୋର ଟେଷ୍ଟ

ନୂଆଦିଲ୍ଲୀ, ୨୯।୬: ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ନିର୍ଣ୍ଣାୟକ ମୋଡ଼ ଆଡକୁ ଗତି କରୁଛି। ଉଦ୍ଧବ ସରକାରଙ୍କୁ ବୁଧବାର ଏକ ବଡ଼ ଝଟ୍‌କା ଲାଗିଛି। ଶିବସେନାର ପିଟିଶନକୁ ଖାରଜ କରି ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ଆସନ୍ତାକାଲି ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ ପଡିଛି। ଗୁରୁବାର ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ଘୋଷଣା କରିବା ପରେ ତାହାକୁ ଚ୍ୟାଲେଞ୍ଜ କରି ଏହା ଉପରେ ରୋକ ଲଗାଇବାକୁ ଉଦ୍ଧବ ସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ,ଶିବସେନାର ୪୦ ଜଣ ବିଧାୟକ ଉଦ୍ଧବ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବାରୁ ରାଜ୍ୟରେ ରାଜନୀତିକ ସଙ୍କଟ ସୃଷ୍ଟି ହୋଇଛି। ବିଦ୍ରୋହୀଙ୍କୁ ବୁଝାଇବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉଦ୍ୟମ କରିଥିଲେ ମଧ୍ୟ ହେଲେ ଏଯାଏ କୌଣସି ସୁଫଳ ମିଳିନାହିଁ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନବିସ ଆସ୍ଥା ଭୋଟ ପାଇଁ ଦାବି କରିବାକୁ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ। ବିଦ୍ରୋହୀ ବିଧାୟକମାନେ ଗୁରୁବାର ମୁମ୍ବାଇ ଫେରି ଫ୍ଲୋର ଟେଷ୍ଟରେ ଭାଗ ନେବେ ବୋଲି ଜଣାପଡିଛି। ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଉସ୍ତଫା ଦେବେ ବୋଲି କୁହାଯାଉଛି।

Share