Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ରାଶନ କାର୍ଡ ପାଇଁ ଦାଦନ ଶ୍ରମିକଙ୍କ ଯାଞ୍ଚ ମାସକରେ ଶେଷ କର

ନୂଆଦିଲ୍ଲୀ,୧୭ା୭(ପି.ଟି.): ରାଶନ କାର୍ଡ ଇସ୍ୟୁ ପାଇଁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଦାଦନ ଶ୍ରମିକମାନଙ୍କ ଯାଞ୍ଚରେ ବିଳମ୍ବ କରୁଥିବା ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ମଙ୍ଗଳବାର ଭର୍ତ୍ସନା କରିଛନ୍ତି। ୪ ସପ୍ତାହ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ରାଜ୍ୟଗୁଡ଼ିକରେ ଦାଦନ ଶ୍ରମିକ ଯାଞ୍ଚ ଶେଷ ହୋଇଛି, ସେଠାକୁ ଖାଦ୍ୟଶସ୍ୟ ପଠାଇବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ନ ହୁଏ, ତେବେ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ସମନ କରାଯିବ ବୋଲି ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ ଏବଂ ଅହସାନୁଦ୍ଦିନ ଅମନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି।

୪ ମାସ ସମୟ ଦିଆଯିବା ସତ୍ତ୍ୱେ ଯାଞ୍ଚ ସରିଲାନି କାହିଁକି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। କେବଳ ବିହାର ଏବଂ ତେଲଙ୍ଗାନାରେ ଦାଦନ ଶ୍ରମିକ ଯାଞ୍ଚ ୧୦୦ ପ୍ରତିଶତ ଶେଷ ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ବିଫଳ ହୋଇଛନ୍ତି। ଏପରିକି କେତେକ ରାଜ୍ୟରେ ଏପର୍ଯ୍ୟନ୍ତ ଯାଞ୍ଚ ଆରମ୍ଭ ହୋଇ ନ ଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅଦାଲତଙ୍କୁ ଜଣାଇଥିଲେ। ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୮ କୋଟି ଦାଦନ ଶ୍ରମିକଙ୍କୁ ୨ ମାସ ମଧ୍ୟରେ ରାଶନ କାର୍ଡ ଯୋଗାଇଦେବା ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ।

Share