ନୂଆଦିଲ୍ଲୀ,୨ା୧୧(ପି.ଟି.): ପାଣ୍ଠି ହେରଫେର ମାମଲାରେ ସମ୍ପୃକ୍ତ ଆକ୍ଟିଭିଷ୍ଟ ତିସ୍ତା ସିତଲଓ୍ବାଡ୍ ଓ ତାଙ୍କ ସ୍ବାମୀ ଜାଭେଦ ଆନନ୍ଦଙ୍କୁ ତଦନ୍ତରେ ଗୁଜରାଟ ପୋଲିସକୁ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ତାଙ୍କୁ ପୂର୍ବରୁ ମିଳିଥିବା ଆଗୁଆ ଜାମିନ୍ରେ ହସ୍ତକ୍ଷେପ କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ଏହି ଦମ୍ପତି ତଦନ୍ତରେ ସହଯୋଗ କରୁ ନ ଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍.ଭି. ରାଜୁ ଅଦାଲତଙ୍କୁ ଜଣାଇବା ପରେ ଜଷ୍ଟିସ୍ ଏସ୍.କେ. କୌଲଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ସୁଧାଂଶୁ ଧୁଲିଆ ଏବଂ ପି.କେ. ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ସହଯୋଗ କରୁ ନ ଥିବାରୁ ଉକ୍ତ ମାମଲାରେ ଏପର୍ଯ୍ୟନ୍ତ ଚାର୍ଜଶିଟ୍ ଦାଖଲ ହୋଇପାରି ନ ଥିବା ରାଜୁ କହିଥିଲେ।