Categories: ଜାତୀୟ

ନଡ଼ାପୋଡ଼ି ତୁରନ୍ତ ବନ୍ଦକର

ନୂଆଦିଲ୍ଲୀ,୮ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ପଡୋଶୀ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ତୁରନ୍ତ ନଡ଼ାପୋଡ଼ି ବନ୍ଦ ରଖିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ଯୋଗୁ ଲୋକଙ୍କୁ ମରିବାକୁ ଛାଡ଼ିଦିଆଯାଇପାରିବ ନାହିଁ। ଏହା ଲୋକଙ୍କ ସ୍ବାସ୍ଥ୍ୟର ସମ୍ପୂର୍ଣ୍ଣ ହତ୍ୟା ଭିନ୍ନ ଅନ୍ୟ ଶବ୍ଦ ମୋ ପାଖରେ ନାହିଁ ବୋଲି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ କହିଛନ୍ତି। ଜଷ୍ଟିସ୍‌ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍‌ ସୁଧାଂଶୁ ଧୁଲିଆ ରହିଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ ଗୋଟିଏ ରାଜ୍ୟ ଅନ୍ୟ ଉପରେ ଦୋଷ ଲଦିବାକୁ ଉଦ୍ୟମ କରୁଥିବାରୁ ଖଣ୍ଡପୀଠ ଏହାକୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ସବୁବେଳେ ରାଜନୈତିକ ବିବାଦ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି।
ଦିଲ୍ଲୀ ପ୍ରଦୂଷଣ ଅତି ଉତ୍କଟ ସ୍ତରରେ ପହଞ୍ଚତ୍ଥିବାବେଳେ ଦୀପାବଳିରେ ଏହା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ସେଥିପାଇଁ ୧୩ ତାରିଖରୁ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ କରିବାକୁ ସୋମବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ପାଇଁ ଖଣ୍ଡପୀଠ ନଡ଼ାପୋଡ଼ି, ଗାଡ଼ିମୋଟରର ପ୍ରଦୂଷଣ ଏବଂ ଖୋଲାରେ ବର୍ଜ୍ୟବସ୍ତୁ ପୋଡ଼ିକୁ ଦାୟୀ କରିଥିଲେ। ଧାନ ଅମଳ ପରେ କ୍ରମାଗତ ଭାବେ ନଡ଼ାପୋଡ଼ି ଜାରି ରହିଥିବାରୁ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୂର୍ବରୁ ନଡ଼ା ପୋଡ଼ି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାରଗୁଡ଼ିକ କ’ଣ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଗତବର୍ଷ ତୁଳନାରେ ନଡ଼ାପୋଡ଼ି ୪୦ ପ୍ରତିଶତ କମିଛି ବୋଲି ପଞ୍ଜାବ ସରକାରଙ୍କ ଓକିଲ କହିଥିବାବେଳେ ତାହା ସମ୍ପୂର୍ଣ୍ଣ ବନ୍ଦ ହେବା ଆମେ ଚାହୁଁ ବୋଲି ଖଣ୍ଡପୀଠ କହିଥିଲେ। ସମ୍ପୂର୍ଣ୍ଣ ବନ୍ଦ କରିବା ସରକାରଙ୍କ ଦାୟିତ୍ୱ ଏବଂ ଏହାକୁ ବନ୍ଦ କରିବାକୁ ହେବ। କଠୋର କାର୍ଯ୍ୟାନୁଷ୍ଠାନ ନେଇ ହେଉ କିମ୍ବା ପ୍ରୋତ୍ସାହନ ଦେଇ ଅଥବା ଅନ୍ୟ ଉପାୟରେ ନଡ଼ାପୋଡ଼ି ତୁରନ୍ତ ବନ୍ଦ କର ବୋଲି ଖଣ୍ଡପୀଠ କହିଥିଲେ।

Share