Categories: ଜାତୀୟ

ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ସୁପ୍ରିମ୍‌କୋର୍ଟଙ୍କ ଯୋଗୀ ସରକାରଙ୍କୁ ଭର୍ସନା…

ନୂଆଦିଲ୍ଲୀ,୨୦।୧୦: ଉତ୍ତରପ୍ରଦେଶ ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଭର୍ସନା କରିଛନ୍ତି। ରାଜ୍ୟ ସରକାରଙ୍କ ଆଇନନଜୀବୀ ହରିଶ ସାଲଓ୍ବେ ତଦନ୍ତରେ ପ୍ରଗତି ହୋଇଥିବା ରିପୋର୍ଟ ଦାଖଲ କରିଥିବା ଦର୍ଶାଇଥିଲେ। ଶୁଣାଣି ଶୁକ୍ରବାର ପର୍ଯ୍ୟନ୍ତ ଟାଳିବା ଲାଗି ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ମାତ୍ର କୋର୍ଟ ଏହାକୁ ମନା କରିଛନ୍ତି।

ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଷ୍ଟାଟସ୍‌ ରିପୋର୍ଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣ୍ଡପୀଠ କହିଥିଲେ ଯେ, ମଙ୍ଗଳବାର ରାତି ଗୋଟାଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଷ୍ଟାଟସ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା। ମାତ୍ର ତାହା ଏବେ ଦାଖଲ କରାଯାଉଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ। ଗୋଟିଏ ଦିନ ପୂର୍ବରୁ ରିପୋର୍ଟ ଲୋଡା ଯାଇଥିଲେ ମଧ୍ୟ ଏପରି କାହିଁ ହୋଇନାହିଁ ବୋଲି ଖଣ୍ଡପୀଠ ପଚାରିଛନ୍ତି।

ରିପୋର୍ଟରେ ୪ ଜଣଙ୍କୁ ପୋଲିସ ହେପାଜତରେ ରଖାଯାଇଥିବା ଉଲ୍ଲେଖ କରାଯାଇଥିବା ନେଇ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଆଇନଜୀବୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେବଳ ୪ ଜଣ ଅନ୍ୟମାନେ ଗଲେ କୁଆଡେ। ସେମାନଙ୍କୁ କାହିଁକି ନ୍ୟାୟିକ ହେପାଜତରେ ରଖାଯାଇଛି। ସେମାନଙ୍କୁ କ’ଣ ପଚରାଉଚରା କରାଯିବାର ଆବଶ୍ୟକତା ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ମାମଲାରେ ୪୪ ଜଣ ସାକ୍ଷୀଙ୍କ ମଧ୍ୟରୁ କେବଳ ୪ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଏନେଇ କୋର୍ଟ ଉତ୍ତରପ୍ରଦେଶ ସରକାର ଦାୟିତ୍ୱବୋଧଠାରୁ ଦୂରେଇ ଯାଉଥିବା ଅଭିଯୋଗ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୬ରେ ହେବ ବୋଲି କୋର୍ଟ ସୂଚନା ପ୍ରଦାନ କରିଛନ୍ତି।

Share