ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ନିଟ୍‌ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ସେପ୍ଟେମ୍ବର ୧୩ରେ ହେବ ବୋଲି କୋର୍ଟ କହିଛନ୍ତି। ଏହାପୂର୍ବରୁ ଅଗଷ୍ଟ ୧୭ରେ ସୁପ୍ରିମ୍‌ କୋର୍ଟ ଜେଇଇ ଏବଂ ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଲାଗି ଅଣ-ଭାଜପା ଶାସିତ ୬ ରାଜ୍ୟ ମନ୍ତ୍ରୀମାନଙ୍କ ପକ୍ଷରୁ କରାଯାଇଥିବା ଏକ ପୁନର୍ବିଚାର ଆବେଦନକୁ ସେପ୍ଟେମ୍ବର ୪ରେ ଖାରଜ କରିଦେଇଥିଲେ। କୋର୍ଟ କହିଛନ୍ତି ଯେ, ମେଡ଼ିକାଲ ପାଠ୍ୟକ୍ରମରେ ପ୍ରବେଶ ପାଇଁ କରୋନା ମହାମାରୀ ସମୟରେ ହେଉଥିବା ନିଟ୍‌ ପରୀକ୍ଷା ଲାଗି ସମସ୍ତ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯିବ। ଏହାର ଶୁଣାଣି ଆମେ କରିପାରିବୁ ନାହିଁ। ଆମକୁ କ୍ଷମା କରନ୍ତୁ ବୋଲି ବିଚାର କରୁଥିବା ଖଣ୍ଡପୀଠ ଏଭଳି କହିଛନ୍ତି। ସୂଚନାଯୋଗ୍ୟ,ଜେଇଇ ମେନ୍‌ ପରୀକ୍ଷା ସଫଳତାର ସହିତ ଶେଷ ହେବା ପରେ ଏବେ ନିଟ୍‌ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଚୂଡ଼ାନ୍ତ ଯୋଜନା ଶେଷ ହୋଇଛି। ନିଟ୍‌ ପରୀକ୍ଷା ପାଇଁ ଦେଶର ୧୫ ଲକ୍ଷ ୯୭ ହଜାରରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ପୂର୍ବରୁ ଦେଶର ୨,୫୪୬ ପରୀକ୍ଷା କେନ୍ଦ୍ରରେ ନିଟ୍‌ ପରୀକ୍ଷା କରାଯିବା ଲାଗି ଯୋଜନା କରାଯାଇଥିଲା। ତେବେ ଏବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୩,୮୪୩କୁ ବୃଦ୍ଧି କରାଯାଇଛି। ପ୍ରତି ପରୀକ୍ଷା କକ୍ଷରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪ ବଦଳରେ ୧୨ କରାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ଏବଂ ଫେସମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହିତ ଅନ୍ୟ ସୁରକ୍ଷା ମାର୍ଗଦର୍ଶିକା ପାଳନକୁ ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଲାଗି ମଧ୍ୟ କେତେକ ନିୟମ ପ୍ରଣୟନ କରାଯାଇଛି।

Share