ନୂଆଦିଲ୍ଲୀ,୫।୧୨ : ତାଜମହଲର ପ୍ରକୃତ ଇତିହାସ ଜାଣିବା ପାଇଁ ଏଥିରେ ଥିବା କୋଠରୀ ଖୋଲିବାକୁ ଦାବି କରୁଥିବା ଆବେଦନକୁ ସୁପ୍ରିମକୋର୍ଟରେ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ଆବେଦନର ଶୁଣାଣି କରିବାକୁ ମନା କରି ଶୀର୍ଷକୋର୍ଟ କହିଛନ୍ତି ଯେ ଏହା ଏକ ପ୍ରଚାର ପ୍ରସାର ମାମଲା ଅଟେ। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବାରେ ହାଇକୋର୍ଟ କୌଣସି ଭୁଲ କରିନାହାଁନ୍ତି ବୋଲି ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ଏହା ସହିତ ଆବେଦନକୁ ଖାରଜ କରାଯାଇଛି।
ଆବେଦନରେ କୁହାଯାଇଥିଲା ଯେ ଶାହା ଜାହାନ ତାଜମହଲ ନିର୍ମାଣ କରିଥିବା କୌଣସି ପ୍ରମାଣ ନାହିଁ। ସତ୍ୟ ଏବଂ ତଥ୍ୟ ଜାଣିବା ପାଇଁ ତାଜମହଲର ବେସମେଣ୍ଟ ରୁମ ଖୋଲିବାକୁ ଅନୁରୋଧ କରାଯାଇଥିଲା। ଏହି ଦାବି ସମ୍ପର୍କରେ ଡକ୍ଟର ରଜନୀଶ ସିଂ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଦାଖଲ ହୋଇଥିବା ଆବେଦନରେ ବିଶ୍ୱ ପ୍ରସିଦ୍ଧ ତାଜମହଲର ଇତିହାସ ଜାଣିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ଏହି ଆବେଦନ ପ୍ରତ୍ୟାହାର କରିବାକୁ କହିଛନ୍ତି।
ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପ୍ରତ୍ନତତ୍ତ୍ୱ ବିଭାଗ ସହିତ କଥା ହେବାକୁ କହିଥିଲେ। ତୁମେ ଏଠାକୁ କାହିଁକି ଆସିଛ? ଏହା ଉପରେ ଆବେଦନକାରୀଙ୍କ ଓକିଲ ବରୁଣ ସିହ୍ନା କହିଥିଲେଯେ ଆମେ ମଧ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ପ୍ରତିନିଧିତ୍ୱ କରିଛୁ। ତାଜମହଲର ଇତିହାସ ବିଷୟରେ କୌଣସି ସ୍ପଷ୍ଟତା ନାହିଁ। ଏହା ଥିଲା ରାଜ ମାନସିଂହଙ୍କ ପ୍ରାସାଦ।ଏହାର ବାସ୍ତବତା ସାମ୍ନାକୁ ଆସିବା ଉଚିତ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ନିଷ୍ପତ୍ତି ନେବେ ଯେ ତଥ୍ୟ ଭୁଲ ଅଟେ? ଆପଣ ସରକାରଙ୍କ ପାଖରେ ଏକ ପ୍ରତିନିଧିତ୍ୱ ଦିଅନ୍ତୁ। ଆପଣ ପ୍ରତ୍ନତତ୍ତ୍ୱ ବିଭାଗକୁ ଯାଆନ୍ତୁ ।
ସୁରଜିତ ସିଂ ଯାଦବ ତାଙ୍କ ଆବେଦନରେ ତାଜମହଲର ପ୍ରକୃତ ବୟସ ନିର୍ଣ୍ଣୟ କରିବାକୁ ଏବଂ ମୋଗଲ ଯୁଗର ସ୍ମାରକୀ ନିର୍ମାଣ ପଛରେ ଥିବା ସଠିକ ଐତିହାସିକ ତଥ୍ୟ ଜାଣିବାକୁ ଚେଷ୍ଟା କରାଯାଉ ବୋଲି କହିଥିଲେ।
ଆବେଦନରେ ଦର୍ଶାଯାଇଥିଲା ଯେ ତାଜମହଲ ୧୬୩୧ ରୁ ୧୬୫୩ ମଧ୍ୟରେ ୨୨ବର୍ଷ ମଧ୍ୟରେ ସ୍ତ୍ରୀ ମମତାଜ ମହଲଙ୍କ ପାଇଁ ଏକ ସ୍ମାରକ ଭାବରେ ମୋଗଲ ସମ୍ରାଟ ଶାହ ଜାହାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। କିନ୍ତୁ ଏହା କେବଳ ସେହି ସମୟର ଇତିହାସରେ ପ୍ରକାଶିତ ବିବୃତ୍ତି। ଏହାକୁ ପ୍ରମାଣ କରିବାକୁ କୌଣସି ପ୍ରମାଣ ସାମ୍ନାକୁ ଆସି ନାହିଁ।
ପୂର୍ବରୁ ତାଜମହଲର ୨୨ ଟି କୋଠରୀ ଖୋଲିବାକୁ ଦାବି କରି ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ଆପଣ ଜାଣିନଥିବା ବିଷୟ ଉପରେ ଅନୁସନ୍ଧାନ କରନ୍ତୁ। ଏହି ବିଷୟ ଉପରେ ଏମଏ କରନ୍ତୁ, ପିଏଚଡି କରନ୍ତୁ । ଏନେଇ ଯଦି କୌଣସି ଅନୁଷ୍ଠାନ ଆପଣଙ୍କୁ ଅନୁସନ୍ଧାନ କରିବାକୁ ଯଦି ଅନୁମତି ନ ଦିଏ ତେବେ ଆମ ପାଖକୁ ଆସନ୍ତୁ। ଏହା ପରେ ହାଇକୋର୍ଟ ଆବେଦନକୁ ଖାରଜ କରିଥିଲେ। ପରେ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଡକ୍ଟର ସିଂ ଚ୍ୟାଲେଞ୍ଜ କରିଥିଲେ।