Categories: ଜାତୀୟ

ବିହାରରେ ହେବନାହିଁ ଜାତି ଜନଗଣନା, ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୫: ବିହାରରେ ଜାତି ଜନଗଣନାକୁ ନେଇ ଗୁରୁବାର ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଏକ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜାତି ଆଧାରିତ ଜନଗଣନା ସମ୍ପନ୍ଧିତ ଆବେଦନ ଉପରେ ଶୁଣାଣି କରି ପାଟନା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏବେ ଏହି ମାମଲାର ପରବର୍ତ୍ତି ଶୁଣାଣି ୧୪ ଜୁଲାଇରେ ହେବ।

ଜଷ୍ଟିସ ଅଭୟ ଏସ ଓକ ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ କୋର୍ଟ ଗୁରୁବାର ଦିନ ଜାତି ଜନଗଣନାକୁ ନେଇ ପାଟନା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଏକ ପିଟିସନର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜାତି ଜନଗଣନା ଅନୁଯାୟୀ ଏହି ଜନଗଣନା କରାଯାଉଛି କି ନାହିଁ ତାହା ଅନୁସନ୍ଧାନର ବିଷୟ। ଜାତି ଜନଗଣନାକୁ ଅସାମ୍ବିଧାନିକ ବୋଲି ବିଚାର କରି ପାଟନା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେଇଛନ୍ତି। ଏହି ମାମଲାରେ ପ୍ରଥମେ ପାଟନା ହାଇକୋର୍ଟରେ ଶୁଣାଣି କରିବା ଭଲ ହେବ।
କୋର୍ଟ କହିଛନ୍ତି ଯେ ଏହି ଶୁଣାଣି ଜୁଲାଇ ୩, ୨୦୨୩ରେ ପାଟନା ହାଇକୋର୍ଟରେ ହେବ। ଯଦି କୌଣସି କାରଣରୁ ହାଇକୋର୍ଟ ଏହି ମାମଲାର ଶୁଣାଣି କରନ୍ତି ନାହିଁ, ତେବେ ଜୁଲାଇ ୧୪ରେ ସୁପ୍ରିମକୋର୍ଟଙ୍କୁ ଏହା ବିଷୟରେ ଜଣାନ୍ତୁ। ଏହା ପରେ ବିହାର ସରକାରଙ୍କ ଯୁକ୍ତି ଏଠାରେ ଶୁଣାଯିବ।

Share