Categories: ଜାତୀୟ

ଜାତିଗତ ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ନୀତୀଶ ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୬।୧୦: ବିହାରର ଜାତିଗତ ଜନଗଣନା ତଥ୍ୟ ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଥିସହିତ କୋର୍ଟ ବିହାର ସରକାରଙ୍କୁ ଏକ ନୋଟିସ ଜାରି କରି ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ନିଜ ସ୍ତରରେ ଜାତିଗତ ଜନଗଣନା କରିବାକୁ ବିହାର ସରକାର ନିଷ୍ପତ୍ତି ନେଇଥିଲେ। ଏହାକୁ ବିରୋଧ କରି ଜନଗଣନା ଉପରେ ସମସ୍ତ ପ୍ରକାର ନିଷ୍ପତ୍ତି ନେବାକୁ କେନ୍ଦ୍ରର ଅଧିକାର ରହିଛି ଏବଂ ରାଜ୍ୟ ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କେନ୍ଦ୍ର ସରକାର ଦଲିଲ ରଖିଥିଲେ।
ମାମଲାକୁ ନେଇ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି ଯେ ବିହାର ସରକାର ତଥ୍ୟ ସଂଗ୍ରହ କରିଛନ୍ତି। ତଥ୍ୟ ମଧ୍ୟ ପ୍ରକାଶ ପାଇଛି। ଏହି ମାମଲାରେ ହାଇକୋର୍ଟ ବିସ୍ତୃତ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ମାମଲା ବିଚାରାଧୀନ ଥିବାବେଳେ ସରକାର ତଥ୍ୟ ପ୍ରକାଶ କରିଛନ୍ତି। ତେବେ କୋର୍ଟ ବିହାର ଜାତିଭିତ୍ତିକ ସର୍ଭେରେ ସଂଗୃହିତ ତଥ୍ୟ ଅପଲୋଡ କରିବା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ନିକଟରେ ମନା କରିଦେଇଛନ୍ତି।
ଆବେଦନକାରୀ କୋର୍ଟରେ ଦାବି କରିଛନ୍ତି ଯେ ବିହାରର ନୀତୀଶ ସରକାର ସେମାନଙ୍କ ଜାତି ବିଷୟରେ ପଚାରିବାରୁ ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ କରିଛନ୍ତି। ଲୋକଙ୍କୁ ଜାତି ପ୍ରକାଶ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ହେଲେ ଏହି ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ଏହି ଯୁକ୍ତିଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।
Share