Categories: ଜାତୀୟ

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ ରିପୋର୍ଟ ମାଗିଛନ୍ତି। ବିଚାରପତି ଶୁଣାଣି ବେଳେ ବେଙ୍ଗାଲୁରୁର ଏକ ମୁସଲମାନ ବହୁଳ ଅଞ୍ଚଳକୁ ‘ପାକିସ୍ତାନ’ କହିବା ସହ ମହିଳା ଆଇନଜୀବୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଶୁଣାଣି ସମୟର ଏକ ଭିଡିଓକୁ ସର୍ବୋଚ୍ଚ ଅଦାଲତ ବିଚାର ପାଇଁ ଗ୍ରହଣ କରିଥିଲେ। ନ୍ୟାୟିକ ବ୍ୟବସ୍ଥାର ମର୍ଯ୍ୟାଦା ରକ୍ଷାକରିବା ଜରୁରୀ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ କହିଛନ୍ତି। ଅଦାଲତରେ ବିଚାର ଚାଲିଥିବାବେଳେ ଜଣେ ବିଚାରପତିଙ୍କର ଏଭଳି ମନ୍ତବ୍ୟକୁ ନେଇ ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିବା ସହ ସାମ୍ବିଧାନିକ କୋର୍ଟର ବିଚାରପତିମାନଙ୍କ ପାଇଁ ସ୍ପଷ୍ଟ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ କରିବା ଜରୁରୀ ବୋଲି ମତ ଦେଇଛନ୍ତି। ସୋସିଆଲ ମିଡିଆଗୁଡ଼ିକ ସକ୍ରିୟ ଥିବାରୁ ବିଚାରପତି ମନ୍ତବ୍ୟ ଦେବାବେଳେ ସତକର୍ର୍ ରହିବା ଜରୁରୀ।

Share