Categories: ଜାତୀୟ

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ଡାକ୍ତରଙ୍କ ସୁରକ୍ଷା ପାଇଁ ଆଉ ଏକ ବଳାତ୍କାରକୁ ଦେଶ ଅପେକ୍ଷା କରିପାରିବ ନାହିଁ

ନୂଆଦିଲ୍ଲୀ,୨୦ା୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲା ଅତ୍ୟନ୍ତ ଭୟାବହ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିବା ସହ ଏତଲା ଦାଏରରେ ବିଳମ୍ବ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏହି ମାମଲା ଦେଶର ଡାକ୍ତରମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠାଇଥିବାବେଳେ ସର୍ବୋଚ୍ଚ ଅଦାଲତ ନିଜଆଡୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିଥିଲେ। ଡାକ୍ତରମାନଙ୍କ ସୁରକ୍ଷା ଓ ସ୍ବାଚ୍ଛନ୍ଦ୍ୟ ଏକ ଜାତୀୟ ସ୍ବାର୍ଥ ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ ଦେବା ସହ ଏଥିପାଇଁ ଏକ ୧୦ ଜଣିଆ ନ୍ୟାଶନାଲ ଟାସ୍କଫୋର୍ସ ଗଠନ କରିଛନ୍ତି। ୩ ସପ୍ତାହ ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ ୨ ମାସରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ ଟାସ୍କଫୋର୍ସକୁ କୁହାଯାଇଛି।

ବଳାତ୍କାର-ହତ୍ୟା ମାମଲାରେ ଏତଲା ଦାଏରରେ ଏତେ ବିଳମ୍ବ କ’ଣ ପାଇଁ ହେଲା ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ କ’ଣ କରୁଥିଲେ ବୋଲି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ୯ ତାରିଖ ସକାଳେ ଅପରାଧ ଜଣାପଡ଼ିଥିଲେ ମଧ୍ୟ ମେଡିକାଲ କଲେଜ ପ୍ରିନ୍ସିପାଲ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ କରିଥିଲେ ବୋଲି ଖଣ୍ଡପୀଠ କହିଛନ୍ତି।

Share