Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବାପାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର

ନୂଆଦିଲ୍ଲୀ,୧୧।୮: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ଉତ୍ତରାଧିକାର ଅଧିନିୟମ ୨୦୦୫ରେ ସଂଶୋଧନ ନିୟମରେ ଏହା ସ୍ପଷ୍ଟ କରିଛନ୍ତି ଜଷ୍ଟିସ ଅରୁଣ ମିଶ୍ରାଙ୍କ ଏକ ଖଣ୍ଡପୀଠ। କୋର୍ଟ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି, ଝିଅମାନେ ସବୁବେଳେ ଝିଅ ହୋଇରହିଥାନ୍ତି, କିନ୍ତୁ ପୁଅ କେବଳ ବିବାହ ନ ହେବା ପର୍ଯ୍ୟନ୍ତ ପୁଅ ରହିଥାନ୍ତି। ତେଣୁ ୨୦୦୫ରେ ସଂଶୋଧନ କରାଯିବା ପୂର୍ବରୁ, ଯଦି ଜଣେ ପିତାଙ୍କର ମୃତ୍ୟୁ ହୋଇଯାଇଛି, ତେବେ ବି ଝିଅମାନଙ୍କୁ ପିତାଙ୍କ ସମ୍ପତ୍ତିରେ ପୁଅମାନଙ୍କ ସହ ସମାନ ଅଂଶ ମିଳିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୫ ସେପ୍ଟେମ୍ବର ୫ରେ ସଂସଦ ଅବିଭକ୍ତ ହିନ୍ଦୁ ପରିବାରର ଉତ୍ତରାଧିକାର ଅଧିନିୟମରେ ସଂଶୋଧନ କରିଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ନିୟମ ଜରିଆରେ ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି ବୋଲି କୁହାଯାଇଥିଲା। ଏଭଳି ସ୍ଥିତିରେ ୨୦୦୫ ସେପ୍ଟେମ୍ବର ୯ରେ ଏହି ସଂଶୋଧନ ଲାଗୁ ହେବା ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ଏବଂ ତାଙ୍କ ସମ୍ପତ୍ତି ପରେ ଭାଗବଣ୍ଟା ହୁଏ। ତେବେ ବି ଝିଅମାନଙ୍କର ସମାନ ଅଧିକାର ରହିବ ବୋଲି ସଂସଦରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Share