Categories: ଜାତୀୟ

ଘୃଣା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ବୁଧବାର କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଘୃଣା ଭାଷଣକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ କୋର୍ଟ କହିଥିଲେ।

ବିଚାରପତି ସଂଜୀବ ଖାନ୍ନାଙ୍କ ନେତୃତ୍ୱରେ ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି, ଆମେ ସାରା ଦେଶରେ ଘୃଣା ଭାଷଣର ସମସ୍ୟାକୁ ତଦାରଖ କରିପାରିବୁ ନାହିଁ। ଭାରତ ପରି ଏକ ବଡ ଦେଶରେ ନିଶ୍ଚିତ ଭାବରେ ସମସ୍ୟା ଆସିବ, କିନ୍ତୁ ଏହାର ମୁକାବିଲା ପାଇଁ ଆମର କୌଣସି ପ୍ରଶାସନିକ ବ୍ୟବସ୍ଥା ଅଛି କି ବୋଲି ପ୍ରଶ୍ନ ପଚରାଯିବା ଉଚିତ୍।

ଜଷ୍ଟିସ୍ ଏସ୍.ଭି.ଏନ୍ ଭଟ୍ଟୀଙ୍କୁ ମଧ୍ୟ ଶୁଣାଣି ବେଞ୍ଚରେ ସାମିଲ ଥିଲେ। ଆସନ୍ତା ବର୍ଷ ଫେବୃଆରୀରେ ଏହି ମାମଲାର ଶୁଣାଣି ପାଇଁ ତାରିଖ ଦେଇ ଖଣ୍ଡପୀଠ କହିଛନ୍ତି ଯେ ସମାଜ ଜାଣିବା ଉଚିତ ଯେ ଯଦି କୌଣସି ଆଇନ ଉଲ୍ଲଂଘନ କରାଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶବ୍ୟାପୀ ଆମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବୁ ନାହିଁ, ନଚେତ୍ ପ୍ରତିଦିନ ଏହିଭଳି ଆବେଦନ ଆମ ନିକଟକୁ ଆସିବ।

ଏହାପୂର୍ବରୁ ଏପ୍ରିଲରେ ଦେଶର ଧର୍ମନିରପେକ୍ଷ ଚରିତ୍ରକୁ ବଞ୍ଚାଇ ରଖିବା ଉପରେ ଗୁରୁତ୍ୱାରୋପ କରି କୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମୁଖିଆଙ୍କୁ କୌଣସି ଧର୍ମର ଘୃଣ୍ୟ ଭାଷଣ ବିରୁଦ୍ଧରେ ନିଜ ଆଡୁ ମାମଲା ରୁଜୁ କରିବାକୁ କହିଥିଲେ। ଏହା ସହିତ ଯଦି ନିର୍ଦ୍ଦେଶଗୁଡିକ ପାଳନ ନହୁଏ ତେବେ ଅବମାନନା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ।

Share