ଓ୍ବାଶିଂଟନ,୨୪।୬: ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ବନ୍ଧୁକ ରଖିବା ଉପରେ କଟକଣା ଜାରି କରିବାକୁ ବିଭିନ୍ନ ରାଜ୍ୟ ଚାହୁଁଥିବା ବେଳେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଏଥିରେ ଅନ୍ତରାୟ ସୃଷ୍ଟି କରିଛି।
ସୁପ୍ରିମକୋର୍ଟରେ ୬-୩ରେ ଉକ୍ତ ରାୟ ଗୃହୀତ ହୋଇଛି, ଅର୍ଥାତ ୬ଜଣ ବିଚାରପତି ବନ୍ଧୁକ ରଖିବା ସପକ୍ଷରେ ମତ ଦେଇଥିବା ବେଳେ ୩ ଜଣ ବିରୋଧରେ ମତ ରଖିଥିଲେ। ଫଳରେ ବନ୍ଧୁକ ରଖିବା ପାଇଁ ଅନୁମତି ପାଇବା ପରେ ବୈଧ ଆତ୍ମରକ୍ଷା ଆବଶ୍ୟକତାର ପ୍ରମାଣ ଦେବା ଲାଗି ନ୍ୟୁୟର୍କ ଆଇନରେ ଥିବା ବ୍ୟବସ୍ଥାକୁ ଉକ୍ତ ରାୟ ହଟାଇଦେଇଛି। ଆମେରିକା ସମ୍ବିଧାନର ଦ୍ୱିତୀୟ ଓ ଚତୁର୍ଦ୍ଦଶ ସଂଶୋଧନ ଅନୁଯାୟୀ ଜଣେ ବ୍ୟକ୍ତି ଘର ବାହାରେ ନିଜର ଆତ୍ମରକ୍ଷା ଲାଗି ସାଙ୍ଗରେ ବନ୍ଧୁକ ରଖିପାରିବେ ବୋଲି ଜଷ୍ଟିସ୍ କ୍ଲାରେନ୍ସ ଥୋମାସ ଏହି ରାୟ ଦେଇଛନ୍ତି।