ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏହି ତାରିଖରେ ପୁନର୍ବାର ପରୀକ୍ଷା !

ନୂଆଦିଲ୍ଲୀ, ୧୩।୬: ନିଟ୍‌ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟରେ ଦାଏର ହୋଇଥିବା ୩ ଯାଚିକାର ଶୁଣାଣି ହୋଇଛି । ସୁପ୍ରିମ୍‌କୋର୍ଟ ଏନେଇ କହିଛନ୍ତି ଯେ, ୨୩ ଜୁନ୍‌ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍‌କୁ ଏହାର ଫଳ ପ୍ରକାଶ ପାଇବ । ଫଳରେ ଜୁଲାଇ ୬ରେ ହେବାକୁ ଥିବା କାଉନ୍‌ସେଲିଂରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ର ସରକାର ୧୫୬୩ ଜଣ ପରୀକ୍ଷାର୍ଥୀଙ୍କ ସ୍କୋରକାର୍ଡ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଥିଲେ । କାରଣ ସେମାନଙ୍କୁ ଗ୍ରେସ୍‌ମାର୍କ ଦିଆଯାଇଥିଲା । ଏହି ପରୀକ୍ଷାର୍ଥୀଙ୍କୁ ପୁଣିଥରେ ପରୀକ୍ଷା ଦେବା ପାଇଁ ବିକଳ୍ପ ଦିଆଯିବା ନେଇ କେନ୍ଦ୍ର ଜଣାଇବା ପରେ ସୁପ୍ରିମ୍‌କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ମାମଲାର ପରିଚାଳନା କରୁଥିବା ଓକିଲ ଜେ ସାଇ ଦୀପକ ଏନେଇ କହିଛନ୍ତି ଯେ, ଆମେ ମନମୁଖୀ ଢଙ୍ଗରେ ମାର୍କ ଦେବା ଏବଂ ଅନ୍ୟାୟ ପଦ୍ଧତି ଗ୍ରହଣ କରିବା ବିରୋଧରେ ଅଛୁ। ଅନ୍ୟପଟେ ଏନ୍‌ଟିଏର ଓକିଲ କାନୁ ଅଗ୍ରୱାଲ ଜୁନ ୧୨ ରେ ଅନୁଷ୍ଠିତ ବୈଠକ ପରେ ଏକ ନିର୍ଣ୍ଣୟ ନିଆଯାଇଥିଲା। ଏହି କମିଟି ମତ ରଖିଛି ଯେ ୧୫୬୩ ପରୀକ୍ଷାର୍ଥୀଙ୍କୁ NEET ପରୀକ୍ଷା ପାଇଁ ପୁନର୍ବାର ହାଜର ହେବାକୁ ପଡିବ । ଏମାନଙ୍କୁ ଦିଆଯାଇଥିବା ସମସ୍ତ ସ୍କୋରକାର୍ଡ ବାତିଲ ହେବ । ପୁନର୍ବାର ପରୀକ୍ଷା କରାଯିବ ।

ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମୁଁ ପରୀକ୍ଷାର୍ଥୀ ଏବଂ ସେମନଙ୍କ ପରିବାରକୁ ନିଶ୍ଚିତ କରୁଛି କି, ଭାରତ ସରକାର ଏବଂ ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି ସେମାନଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରିବ । ୨୪ ଲକ୍ଷ ଛାତ୍ରୀଛାତ୍ର ସଫଳତାର ସହ ନିଟ୍‌ ପରୀକ୍ଷା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପୋପର ଲିକ୍‌ ହେବା ନେଇ କୌଣସି ପ୍ରମାଣ ମିଳିନି । ଗଠିତ ପ୍ୟାନେଲ୍‌ ଗ୍ରହଣ କରିଥିବା ପାଖାପାଖି ୧୫୬୦ ଛାତ୍ରୀଛାତ୍ର ମଡେଲ୍‌କୁ ନେଇ କୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ଗ୍ରହଣ କରିବା ଉଚିତ୍‌।

Share