Categories: ଜାତୀୟ

ଯୌନ ନିର୍ଯାତନା ମାମଲା, ହାଇକୋର୍ଟଙ୍କ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ଫଇସଲା ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୮।୧୧: ଯୌନ ନିର୍ଯାତନା ମାମଲାରେ ବମ୍ବେ ହାଇକୋର୍ଟଙ୍କ ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ଫଇସଲାକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତିି। ଶୀର୍ଷ କୋର୍ଟ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଏଭଳି ଘଟଣାରେ କ’ଣ ହାତରେ ଗ୍ଲୋଭସ୍‌ ପିନ୍ଧି ଅପରାଧୀ ଅପରାଧ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।

ବଳାତ୍କାର ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ଏଭଳି ଫଇସଲାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ବିବାଦ ଉପୁଜିଥିଲା। ହାଇକୋର୍ଟ ଏହାର ଏକ ବିଚାରରେ କହଥିଲେ ଯେ, ଯଦି ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ‘ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ’ ସମ୍ପର୍କ ରହିଥାଏ ତେବେ ପୋକ୍ସୋ (ପିଓସିଏସ୍‌ଓ) ଅଧିନିୟମ ଅନୁଯାୟୀ ଏପରି ମାମଲାରେ ହୋଇଥିବା ଯୌନ ନିର୍ଯାତନା ଅପରାଧର ବିଚାର କରାଯାଇପାରିବ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାର, ଜାତୀୟ ମହିଳା ଆୟୋଗ ଏବଂ ଆଟର୍ନି ଜେନେରାଲଙ୍କ ଦ୍ୱାରା ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା।

ଏହି ମାମଲାର ବିଚାର କରି ବିଚାରପତି ଉଦୟ ଉମେଶ ଲଲିତ, ଏସ୍‌. ରବିନ୍ଦ୍ର ଭଟ୍ଟ ଏବଂ ବେଲା ଏମ୍‌. ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଖାରଜ କରିଦେଇଛନ୍ତି।

ବିଚାରପତି ବେଲା ତ୍ରିବେଦୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅଦରକାରୀ ତଥା ଉପଯୋଗହୀନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ପୋକ୍ସୋ ଅଧିନିୟମ ଅନୁଯାୟୀ ଅପରାଧକୁ ଗ୍ରହଣ ଯୋଗ୍ୟ କରାଯିବା ଲାଗି ଶାରୀରିକ କିମ୍ବା ଚର୍ମ ସମ୍ପର୍କର ସର୍ତ୍ତ ରଖିବା ଅତ୍ୟନ୍ତ ହାସ୍ୟାସ୍ପଦ। ଏହା ଦ୍ୱାରା ଆଇନର ମୂଳ ଉଦ୍ଦେଶ୍ୟ ନଷ୍ଟ ହୋଇଯିବ। ଯାହା ପିଲାମାନଙ୍କୁ ଯୌନ ନିର୍ଯାତନା ଅପରାଧରୁ ସୁରକ୍ଷିତ ରଖିବା ଲାଗି ପ୍ରଣିତ ହୋଇଛି।

ଶୀର୍ଷ ଅଦାଲତ ପ୍ରଶ୍ନ କରିଛନ୍ତି ଯେ ଯଦି ଏହି ସଂଜ୍ଞା ଗ୍ରହଣ କରାଯାଏ, ତେବେ ଗ୍ଲୋଭସ ପିନ୍ଧି ବଳାତ୍କାର କରିଥିବା ଅପରାଧୀଙ୍କ ଅପରାଧକୁ କ’ଣ ଅପରାଧ ପରିସରଭୁକ୍ତ କରାଯିବ ନାହିଁ। ଏହା ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି କରିବ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିୟମ ଏପରି ହେବା ଉଚିତ ଯାହା ଆଇନ ବ୍ୟବସ୍ଥାକୁ ମଜବୁତ କରିବ ଏବଂ ଏହାର ମୂଳ ଉଦ୍ଦେଶ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଏହି ରାୟ ବିରୋଧରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୨୭ ଜାନୁଆରୀରେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇଥିଲେ।

ଆବେଦନକାରୀଙ୍କ ଅନୁଯାୟୀ ଏହି ମାମଲା ୨୦୨୬ ଡିସେମ୍ବର ୧୪ରେ ଘଟିଥିଲା। ୧୨ ବର୍ଷ ବୟସ୍କା ନାବାଳିକାଙ୍କ ମାଆ ପୋଲିସ ସମ୍ମୁଖରେ ଏକ ବିବୃତ୍ତି ଦେଇଥିଲେ ଯେ ଅଭିଯୁକ୍ତ ତାଙ୍କ ଝିଅଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି।
ଏହି ମାମଲାରେ ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କୁ ପୋକ୍ସୋ ଅଧିନିୟମ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ କାରାଦଣ୍ଡାଦେଶରେ ଦଣ୍ଡିତ କରଥିଲେ। ତେବେ ହାଇକୋର୍ଟ ଏହି ଆଦେଶକୁ ସଂଶୋଧନ କରି ଆଇପିସିର ଧାରା ୩୫୪ ଅନୁଯାୟୀ ଦଣ୍ଡାଦେଶକୁ ବଦଳାଇଥିଲେ।

Share