Categories: ଜାତୀୟ

ମୋବାଇଲ ଫୋନ୍‌ ଜବତ ଗାଇଡ୍‌ଲାଇନ, ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୧୨: ଅଭିଯୁକ୍ତମାନଙ୍କୁ ଜେରା, ଗିରଫ କିମ୍ବା ସେମାନଙ୍କ ବିରୋଧରେ ପୋଲିସ ତଥା ଆଇନ ପ୍ରଣୟକାରୀ ସଂସ୍ଥା ଦ୍ୱାରା କୌଣସି ମାମଲା ଥିଲେ ସେମାନଙ୍କ ଡିଜିଟାଲ ଉପକରଣର ତଲାସି ନେବା ଓ ଜବତ କରିବା ପାଇଁ ନୂଆ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୬ ସପ୍ତାହ ସମୟ ଦେଇଛନ୍ତି।

ଫାଉଣ୍ଡେଶନ ଫର୍‌ ମିଡିଆ ପ୍ରଫେସନାଲ୍ସ (ଏଫ୍‌ଏମ୍‌ପି) ଦାଏର କରିଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଅଭିଯୁକ୍ତମାନଙ୍କ ମୋବାଇଲ ଫୋନ୍‌, ପିସି ଜବତ କରିବା ଲାଗି ତୁରନ୍ତ ଗାଇଡ୍‌ଲାଇନ ପ୍ରସ୍ତୁତ କରିବାକୁ ଅଦାଲତ କହିଛନ୍ତି। ଜେରା ବେଳେ ବା ଅନ୍ୟ ପ୍ରସଙ୍ଗକୁ ନେଇ କୌଣସି ଅଭିଯୁକ୍ତଙ୍କ ବିରୋଧରେ ଆଇନ ପ୍ରଣୟନକାରୀ ସଂସ୍ଥା ଅକାରଣରେ ହସ୍ତକ୍ଷେପ କରୁଥିବାରୁ ଏଥିରୁ ସୁରକ୍ଷା ଦେବା ଏବଂ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର(ଏସ୍‌ଓପି) ପ୍ରସ୍ତୁତ ଲାଗି ପିଟିଶନର ନିବେଦନ କରିଥିଲେ।

୨୦୨୧ରୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଗାଇଡ୍‌ଲାଇନ ପ୍ରସ୍ତୁତ କରି ନ ଥିବାରୁ ଜଷ୍ଟିସ୍‌ ସଞ୍ଜୟ କଶନ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାର ସାନି ଗାଇଡଲାଇନ୍‌ ନ ଆଣିବା ପର୍ଯ୍ୟନ୍ତ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଡିଜିଟାଲ ଉପକରଣ ତଲାସି କିମ୍ବା ଜବତ ବେଳେ ସିବିଆଇ ମାନୁଆଲ୍‌କୁ କଡ଼ାକଡ଼ି ପାଳନ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

Share