ନୂଆଦିଲ୍ଲୀ,୫।୧ : ସୁପ୍ରିମକୋର୍ଟ ଗୁରୁବାର ଉତ୍ତରପ୍ରଦେଶର ଏକ ମାମଲାର ବିଚାର କରି ରାଜ୍ୟରେ ଦୋଷୀ ସାବ୍ୟସ୍ତ ହେବା ପରେ କେତେଜଣଙ୍କର ଦଣ୍ଡାଦେଶ କୋହଳ କରାଯାଇ ମୁକ୍ତ ହେବାର ସୁବିଧା ଦିଆଯାଇଛି ତାହାର ସବିଶେଷ ତଥ୍ୟ ଦେବାକୁ ରାଜ୍ୟ ମହାନିର୍ଦ୍ଦେଶକ ପୋଲିସ (ଡିଜିପି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଜିପି ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି।
ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ ନରସିଂହଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଡିଜିପିଙ୍କଠାରୁ ଏହି ସୂଚନା ଲୋଡିଛନ୍ତି। ରାଜ୍ୟର ପ୍ରତ୍ୟେକ ଜିଲାରେ କେତେଜଣ ଦୋଷୀ ଅଛନ୍ତି, ଯେଉଁମାନେ ଦଣ୍ଡାଦେଶ ସମୟ ପୂରଣ ହେବା ପୂର୍ବରୁ ମୁକ୍ତ ହେବା ପାଇଁ ଯୋଗ୍ୟ ତାହାର ହିସାବ ଦେବାକୁ କହିଛନ୍ତି।
ଏଭଳି କେତେ ସଂଖ୍ୟକ ମାମଲାର ବିଚାର କରାଯାଇଥିଲା ତାହାର ହିସାବ ପାଇଁ କୋର୍ଟ ଡିଜିପିଙ୍କୁ ପଚାରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ରାଜ୍ୟ କର୍ତ୍ତୃପକ୍ଷଙ୍କ ନିକଟରେ ଛାଡ ପାଇଁ ବିଚାରାଧୀନ ଥିବା ମାମଲାଗୁଡ଼ିକର ବିବରଣୀ ଏବଂ କେଉଁ ସମୟ ମଧ୍ୟରେ ସେସବୁ ମାମଲାର ବିଚାର କରାଯିବ ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ମାଗିଛନ୍ତି।