ନୂଆଦିଲ୍ଲୀ: ଶୁକ୍ରବାର ରିଲିଜ ହୋଇଥାନ୍ତା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’। ହେଲେ ଏହାର ଦିନକ ପୂର୍ବରୁ ନିର୍ମାତାଙ୍କୁ ଲାଗିଛି ଝଟ୍କା। ଫିଲ୍ମଟି ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ ଛାଟ। ଏବେ ଫିଲ୍ମର ଟାଇଟଲ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ବୁଧବାର ପ୍ରସ୍ତାବ ଦେଇଛନ୍ତି। ଫଳରେ ନିର୍ମାତା ସଞ୍ଜୟ ଲୀଲା ଭଂସାଲି ଦ୍ୱିତୀୟଥର ପାଇଁ ଟାଇଟଲକୁ ନେଇ ଆଇନ ଜାଲରେ ଫସିଛନ୍ତି।
ଜଣେ ଯୌନ କର୍ମୀଙ୍କ ଜୀବନୀକୁ ନେଇ ଆଧାରିତ ଫିଲ୍ମଟିର ଟ୍ରେଲର ରିଲିଜ ହେବା ପରଠାରୁ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ରାଜନୀତି ମଧ୍ୟ ଜୋର ଧରିଥିଲା। ମୁଭିରେ ଗଙ୍ଗୁବାଇଙ୍କ ଚରିତ୍ରକୁ ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଜଣେ ଦେହଜୀବୀ ଭାବେ ଚିତ୍ରଣ କରାଯାଇଥିବା କୁହାଯାଇଥିଲା। ଗଙ୍ଗୁବାଇଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଥିଲେ। ସେ ମୁମ୍ବାଇର ଏକ କୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭଂସାଲି ନାମରେ ମାମଲା ଦାଏର କରିଥିଲେ। ତେବେ ରିଲିଜ ପୂର୍ବରୁ ଉକ୍ତ ଚଳଚ୍ଚିତ୍ରକୁ ନେଇ ଏକାଧିକ ମାମଲା ମଧ୍ୟ ରୁଜୁ ହୋଇଥିଲା। ବୁଧବାର ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାର ଗୁରୁବାର ମଧ୍ୟ ଶୁଣାଣି ହେବ ବୋଲି ଜଣାପଡ଼ିଛି।