Categories: ଜାତୀୟ

ଗୋଟିଏ ପଦବୀ ଗୋଟିଏ ପେନସନ୍‌ ନୀତିକୁ ସମର୍ଥନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୬।୩ : ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଗୋଟିଏ ପଦବୀ ଗୋଟିଏ ପେନସନ୍‌ (ୱାନ ର଼୍ୟାଙ୍କ ୱାନ ପେନସନ୍‌) ନୀତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଏହି ନୀତିରେ କୌଣସି ସାମ୍ବିଧାନିକ ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ନୀତିରେ ପାଞ୍ଚ ବର୍ଷ ମଧ୍ୟରେ ପେନସନ୍‌ ସମୀକ୍ଷା ପାଇଁ ବ୍ୟବସ୍ଥା ରହିଛି ବୋଲି କୋର୍ଟ କହିଛନ୍ତି। ତେଣୁ ସରକାର ୨୦୧୯ ଜୁଲାଇ ୧ ତାରିଖରୁ ପେନସନ୍‌ ସମୀକ୍ଷା କରିବା ଉଚିତ। ତିନିମାସ ମଧ୍ୟରେ ବକେୟା ରାଶି ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଇଣ୍ଡିଆନ୍‌ ଏକ୍ସ-ସର୍ଭିସ୍‌ ମୁଭମେଣ୍ଟ୍‌ ପକ୍ଷରୁ ଆବେଦନ କରାଯାଇଥିବା ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।

ପୂର୍ବତନ ସାମରିକ କର୍ମଚାରୀଙ୍କ ସଂଗଠନ ଇଣ୍ଡିଆନ୍‌ ଏକ୍ସ-ସର୍ଭିସ୍‌ ମୁଭମେଣ୍ଟ୍‌ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ଉଲ୍ଲେଖ ହୋଇଥିଲା ଯେ ୨୦୧୫ରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗୋଟିଏ ପଦବୀ ଗୋଟିଏ ପେନସନ୍‌ ନୀତିରେ ମୂଳ ଉଦ୍ଦେଶ୍ୟ ପୂରଣ ହେଉନାହିଁ। ଏହାକୁ ପ୍ରତିବର୍ଷ ସମୀକ୍ଷା କରାଯିବା ଉଚିତ। କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ଏହାର ସମୀକ୍ଷା କରିବାର ବ୍ୟବସ୍ଥା ଅଛି। ବିଭିନ୍ନ ସମୟରେ ଅବସର ନେଇଥିବା ଲୋକମାନେ ଏବେ ମଧ୍ୟ ଭିନ୍ନ ଭିନ୍ନ ପେନସନ ପାଇଛନ୍ତି ।

 

Share