Categories: ଜାତୀୟ

ଜ୍ଞାନବାପି ଶିବଲିଙ୍ଗର କାର୍ବନ ଡେଟିଂକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦ା୫: ବାରାଣସୀର ଜ୍ଞାନବାପୀ ମସ୍‌ଜିଦ-କାଶୀ ବିଶ୍ୱନାଥ କରିଡର ମଧ୍ୟରେ ରହିଥିବା ଶିବଲିଙ୍ଗର କାର୍ବନ ଡେଟିଂକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଭିଡିଓଗ୍ରାଫି ସର୍ଭେ ବେଳେ ଜ୍ଞାନବାପି କମ୍ପ୍ଲେକ୍ସ ପରିସରରୁ ଶିବଲିଙ୍ଗ ଭଳି ଏକ ବିବାଦୀୟ ଢାଞ୍ଚା ମିଳିଥିଲା। ତାହା ଶିବଲିଙ୍ଗ କି ନୁହେଁ ଏବଂ କେବେଠାରୁ ସେଠାରେ ରହିଛି, ତାହା ଜାଣିବା ପାଇଁ କାର୍ବନ ଡେଟିଂ ନିମନ୍ତେ ଆଲ୍ଲାହାବାଦ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ କାର୍ବନ ଡେଟିଂ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ମୁସଲମାନ ପକ୍ଷ କରିଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି। କାର୍ବନ ଡେଟିଂ ବ୍ୟତୀତ ଅନ୍ୟ ବୈଜ୍ଞାନିକ ପଦ୍ଧତିର ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ।

Share