Categories: ଜାତୀୟ

ସାଇରସ୍‌ ମିସ୍ତ୍ରୀଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ୨୬।୩: ଟାଟା ସନ୍ସ ଲିମିଟେଡ୍‌ ଏବଂ ଶାପୁରଜୀ ପଲୋନଜୀ ଗ୍ରୁପ୍‌ର ସାଇରସ୍‌ ମିସ୍ତ୍ରୀ ମାମଲାରେ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଟାଟା ଗ୍ରୁପ ପକ୍ଷରୁ ସାଇରସ ମିସ୍ତ୍ରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଠିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହ ସୁପ୍ରିମକୋର୍ଟ ଟାଟା ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ମିସ୍ତ୍ରୀଙ୍କୁ ପୁଣି ନିଯୁକ୍ତି କରିବାକୁ ନ୍ୟାଶନାଲ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ ଏନସିଏଲଏଟି ଦେଇଥିବା ରାୟକୁ ରଦ୍ଦ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ସାଇରସ ମିସ୍ତ୍ରୀ ଟାଟା ସନ୍ସର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ୪ ବର୍ଷ ପରେ ନାଟକୀୟ ଢଙ୍ଗରେ ତାଙ୍କୁ ଏହି ପଦରୁ ବିଦା ହେବାକୁ ପଡିଥିଲା। କମ୍ପାନୀର ଶେୟାରକୁ ନେଇ ଟାଟା ଗ୍ରୁପ ସହ ମିସ୍ତ୍ରୀଙ୍କ ତିକ୍ତତା ସୃଷ୍ଟି ହୋଇଥିଲା। ଟାଟାରେ ମିସ୍ତ୍ରୀଙ୍କ ପରିବାରର ୧୮.୭% ଶେୟାର ରହିଛି। ଏହାକୁ ଆଧାର କରି ସେ ଟାଟା ନାଁରେ ମାର୍କେଟରୁ ଟଙ୍କା ଉଠାଉଥିବା ଅଭିଯୋଗ ହୋଇଥିଲା। ୨୦୧୯ ଡିସେମ୍ବର ୧୮ରେ ଏନସିଏଲଟିଏ ଟାଟା ଗ୍ରୁପ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ସାଇରସ ମିସ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ କହିଥିଲେ। ଏହା ବିରୋଧରେ ଟାଟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଏସ ବୋବଡେ, ଜଷ୍ଟିସ ଏସ ବୋପାନ୍ନା ଓ ଜଷ୍ଟିସ ଭି ରାମାସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆଇନର ସମସ୍ତ ପ୍ରଶ୍ନ ଟାଟା ଗ୍ରୁପ ସପକ୍ଷରେ ରହିଛି।

Share