Categories: ଜାତୀୟ

କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ପରିସର ସର୍ଭେରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ମଥୁରା କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ମସ୍‌ଜିଦ ପରିସରର ସର୍ଭେ ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଶାହି ଇଦ୍‌ଗା ମସ୍‌ଜିଦ ସ୍ଥାନରେ ପୂର୍ବରୁ ହିନ୍ଦୁ ମନ୍ଦିର ଥିଲା କି ନାହିଁ ତାହା ନିର୍ଦ୍ଧାରଣ କରିବା ପାଇଁ ସର୍ଭେ ନିମନ୍ତେ ଆବେଦନ କରାଯାଇଥିଲା। ମସ୍‌ଜିଦ ପରିଚାଳନା କମିଟି ପକ୍ଷରୁ ଦାଏର ରକ୍ଷଣାବେକ୍ଷଣ ପ୍ରସଙ୍ଗର ଶୁଣାଣି ପ୍ରଥମେ କରାଯିବ ବୋଲି ସିଭିଲ ଜଜ୍‌ ନିଷ୍ପତ୍ତି ନେଇଥିଲେ। ଆଲ୍ଲାହାବାଦ ହାଇକୋର୍ଟ ଏହାକୁ କାଏମ ରଖିବା ସହ ସିଭିଲ ଜଜ୍‌ଙ୍କ ରାୟରେ ତ୍ରୁଟି ନ ଥିବା କହିଥିଲେ। ହାଇକୋର୍ଟଙ୍କ ଜୁଲାଇ ୧୦ର ଏହି ରାୟକୁ ଟ୍ରଷ୍ଟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ମସ୍‌ଜିଦ ପରିଚାଳନା କମିଟି ଏବଂ ଉତ୍ତରପ୍ରଦେଶ ସୁନ୍ନୀ କେନ୍ଦ୍ରୀୟ ଓ୍ବାକଫ୍‌ ବୋର୍ଡ ସିଭିଲ୍‌ ଜଜ୍‌ଙ୍କ ନିକଟରେ ଆବେଦନ କରିଥବାରୁ ସମ୍ବିଧାନର ଅନୁଚ୍ଛେଦ ୧୩୬ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ଜଷ୍ଟିସ ସଞ୍ଜୟ କିଶନ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି।

Share