Categories: ଜାତୀୟ

ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ସବୁବେଳ ପାଇଁ ବନ୍ଦ କରିହେବନି ରାଜରାସ୍ତା…

ନୂଆଦିଲ୍ଲୀ,୩୦।୯: ଚାଷୀ ଆନ୍ଦୋଳନ ନେଇ ସୁପ୍ରିମ୍‌କୋର୍ଟ ତାଗିଦ୍‌ କରିଛନ୍ତି। ସବୁବେଳ ପାଇଁ ଅଥବା ଦୀର୍ଘ ସମୟ ଲାଗି ରାଜରାସ୍ତାକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି। ସ୍ଥାୟୀ ଭାବେ ରାଜରାସ୍ତା ବନ୍ଦ ରହିଥିଲେ ମଧ୍ୟ ସରକାର ଏହାକୁ ଖୋଳିବାରେ ଅସଫଳ ରହିଥିବାରୁ ଶୀର୍ଷକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ରାଜରାସ୍ତା ଖୋଲିବା ଲାଗି କୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଛି।

ତେବେ ଏହାକୁ ଲାଗୁ କରିବାରେ ସରକାର ଅସମର୍ଥ ହୋଇଥିବାକୁ କୋର୍ଟ ଏନେଇ ତାଗିଦ୍‌ କରିଛନ୍ତି। ଆନ୍ଦୋଳନକାରୀ ଚାଷୀ ସଂଗଠନ ନେତାଙ୍କୁ ପକ୍ଷଭୁକ୍ତ କରିବା ଲାଗି ଆବେଦନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଚାଷୀ ଆନ୍ଦୋଳନ ଯୋଗୁ ରାସ୍ତା ବନ୍ଦ ହେବାରୁ ସୃଷ୍ଟି ହେଉଥିବା ସମସ୍ୟା ନେଇ ନୋଏଡ଼ାର ମୋନିକା ଅଗ୍ରଓ୍ବାଲ ଚଳିତ ବର୍ଷ ମାର୍ଚ୍ଚରେ ଏକ ପିଟିଶନ୍‌ ଦାଖଲ କରିଥିଲେ। ତେବେ ଗତ ୬ ମାସ ଧରି ପକ୍ଷଭୁକ୍ତ ହୋଇଥିବା ହରିୟାଣା ଏବଂ ଉତ୍ତରପ୍ରଦେଶ ସରକାର ଲଗାତାର ସମାନ ବୟାନ ଦେବା ଜାରି ରଖିଛନ୍ତି। ଉଭୟ ରାଜ୍ୟ ସରକାର ଚାଷୀଙ୍କୁ ବୁଝାସୁଝା କରାଯାଇ ସଡ଼କରୁ ହଟାଇବାର ଉଦ୍ୟମ ହେଉଥିବା କହି ଆସୁଛନ୍ତି।

ମାତ୍ର ଏହାର କୌଣସି ସୁଫଳ ମିଳୁ ନ ଥିବାରୁ ସର୍ବୋଚ୍ଚ ଅଦାଲତ କଠୋର ମନୋଭାବ ପୋଷଣ କରିଛନ୍ତି। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ପକ୍ଷ ରଖିଥିଲେ। ବିଚାରପତି ସଞ୍ଜୟ ମିଶନ କୌଲ ଏବଂ ଏମ୍‌.ଏମ୍‌, ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ବାରମ୍ବାର ଗୋଟିଏ ନିର୍ଦ୍ଦେଶକୁ ଦୋହରାଇ ପାରିବେ ନାହିଁ। ଏନେଇ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ଅକ୍ଟୋବରରେ କରାଯିବ ବୋଲି କୋର୍ଟ କହିଛନ୍ତି।

Share