Categories: HomeHome Middle

ଶିକ୍ଷକ ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ, କହିଲେ ସମସ୍ତଙ୍କ ଚାକିରି…

ନୂଆଦିଲ୍ଲୀ/କୋଲକାତା,୩ା୪: ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ୨୫ ହଜାରରୁ ଅଧିକ ଶିକ୍ଷକ/ସ୍କୁଲ କର୍ମଚାରୀଙ୍କ ଚାକିରି ରଦ୍ଦ କରିଛନ୍ତି। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଗତ ବର୍ଷର ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟର ନିର୍ଦ୍ଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ବ୍ୟତୀତ ଏହି ପ୍ରସଙ୍ଗରେ ୧୨୦ ରୁ ଅଧିକ ଆବେଦନ ଦାଖଲ ହୋଇଥିଲା।

ଏପ୍ରିଲ ୨୦୨୪ରେ ଦିଆଯାଇଥିବା ନିଷ୍ପତ୍ତିରେ, ହାଇକୋର୍ଟ ସମସ୍ତ ଚାକିରି ବାତିଲ କରିବା ସହିତ ଏହି ଲୋକଙ୍କଠାରୁ ସୁଧ ସହିତ ପୂର୍ଣ୍ଣ ଦରମା ଆଦାୟ କରିବାକୁ ମଧ୍ୟ କହିଥିଲେ। ତଥାପି ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ କାମ କରୁଥିଲେ ସେମାନଙ୍କୁ ସେମାନଙ୍କର ଦରମା ଫେରାଇବା ଆବଶ୍ୟକ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୧୬ରେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ହେରଫେର ଏବଂ ଠକେଇରେ ପରିପୂର୍ଣ୍ଣ ଥିଲା।

୨୦୧୬ରେ, ରାଜ୍ୟ ସ୍କୁଲ ସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଁ ୨୩ ଲକ୍ଷରୁ ଅଧିକ ଲୋକ ପରୀକ୍ଷା ଦେଇଥିଲେ। ୨୫ ହଜାରରୁ ଅଧିକ ନିଯୁକ୍ତିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ଏବେ ସୁପ୍ରିମକୋର୍ଟ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ୩ ମାସ ମଧ୍ୟରେ ସାରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି, ପୂର୍ବ ପ୍ରାଥଙ୍କୁ ନୂଆ ନିଯୁକ୍ତି ପ୍ରକ୍ରିୟାରେ କିଛି ରିହାତି ଦିଆଯାଇପାରିବ।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ ମାନବିକତା ଦୃଷ୍ଟିରୁ ଜଣେ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଚାକିରି ଜାରି ରଖିବାକୁ ଅନୁମତି ଦେଇଛନ୍ତି। ନୂତନ ନିଯୁକ୍ତି ପ୍ରକ୍ରିୟାରେ ଅବଶିଷ୍ଟ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ କିଛି ରିହାତି ଦେବାକୁ କୁହାଯାଇଛି। ସମଗ୍ର ଦୁର୍ନୀତିର ସିବିଆଇ ତଦନ୍ତକୁ ମଧ୍ୟ ହାଇକୋର୍ଟ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ୪ ଏପ୍ରିଲରେ ଏହି ଦିଗ ଉପରେ ଶୁଣାଣି କରିବେ।

Share