ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦେହଜୀବୀଙ୍କୁ ମିଳୁନି ସହାୟତା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ସୁପ୍ରିମକୋର୍ଟ ଦେହଜୀବୀଙ୍କ ଦୁଃଖ ବୁଝି ଗତ ୧୪ତାରିଖରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ନିର୍ଦ୍ଦେଶ ପରେ ମଧ୍ୟ ସେମାନଙ୍କୁ କୌଣସି ସୁବିଧା ଦିଆଯାଇ ନାହିଁ। କୋଭିଡ୍‌-୧୯ ସମୟରେ ଦେହଜୀବୀମାନେ ବହୁ ଅଭାବ ଓ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ତେଣୁ ସେମାନଙ୍କ ସମସ୍ୟା ଜାଣି ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବାରୁ ଓଡ଼ିଶା ପତିତ ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ସ୍ବାଗତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେହଜୀବୀଙ୍କ ଦୁଃଖ କିଛି ମାତ୍ରାରେ ଦୂର ହେବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ରାଜ୍ୟ ମାନବିକ ଅଧିକାର କମିଶନ ମଧ୍ୟ ଦେହଜୀବୀଙ୍କୁ ଆର୍ଥିକ ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ଅନେକ ଦେହଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ସହାୟତା ମିଳିବ ବୋଲି ଆଶା ରଖିଛନ୍ତି। ଓଡ଼ିଶା ପତିତ ଉଦ୍ଧାର ସମିତି ଦୀର୍ଘ ୨୨ବର୍ଷ ଧରି ଦେହଜୀବୀମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି। ଦେହଜୀବୀଙ୍କ ଥଇଥାନ ପାଇଁ
ଉଚ୍ଚ ନ୍ୟାୟାଳୟରେ କରିଥିବା ମାମଲା ବିଚାରକୁ ନେଇ ମାନ୍ୟବର ନ୍ୟାୟାଳୟ ସେମାନଙ୍କ ଥଇଥାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ଆଜି ସବୁ ବର୍ଗର ଲୋକଙ୍କୁ ସହାୟତା କରିଥିବା ବେଳେ ଦେହଜୀବୀଙ୍କ ପ୍ରତି ଅବହେଳା କରିଛନ୍ତି। ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରୁଥିବା ରାଜ୍ୟ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ବିଭାଗ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେହଜୀବୀଙ୍କୁ ସାହାଯ୍ୟ କରିବା ପାଇଁ ସମିତି ପକ୍ଷରୁ ଦାବି କରାଯାଇଛି।

Share