Categories: ଜାତୀୟ

ଜ୍ଞାନବାପି ସର୍ଭେକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ,୫ା୮: ସପ୍ତଦଶ ଶତାବ୍ଦୀରେ ଜ୍ଞାନବାପି ମସ୍‌ଜିଦ ନିର୍ମାଣ ପୂର୍ବରୁ ସେଠାରେ ମନ୍ଦିର ଥିଲା କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ମସ୍‌ଜିଦ ପରିସରରେ ବିଜ୍ଞାନସମ୍ମତ ସର୍ଭେ କରିବାକୁ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ। ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ତେବେ ସର୍ଭେ ସମୟରେ ମସ୍‌ଜିଦ ପରିସରରେ ଯେପରି କୌଣସି କ୍ଷତି ନ ହୁଏ, ତାହା ଦେଖିବା ପାଇଁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେ ବେଳେ କୌଣସି ଖନନ କିମ୍ବା ମସ୍‌ଜିଦ ଢାଞ୍ଚା ପ୍ରତି କ୍ଷତି ପହଞ୍ଚତ୍ବା ଭଳି କିଛି କାର୍ଯ୍ୟ କରାଯିବ ନାହିଁ ବୋଲି ଏଏସ୍‌ଆଇ ଏବଂ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲମାନ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବାରାଣସୀ ଜିଲା କୋର୍ଟ ଜୁଲାଇ ୨୧ରେ ମସ୍‌ଜିଦ ପରିସରରେ ଏଏସ୍‌ଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେବା ସହ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଜିଲା କୋର୍ଟ ରାୟକୁ ମସ୍‌ଜିଦ କମିଟି ଆଲ୍ଲାହାବାଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କମିଟିର ଆବେଦନକୁ ହାଇକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେବା ସହ ସର୍ଭେ ପାଇଁ ଅନୁମତି ପ୍ରଦାନ କରିଥିଲେ। ଶେଷରେ କମିଟି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ଭେ ଦ୍ୱାରା ଅତୀତର କ୍ଷତ ପୁଣିଥରେ ଖୋଲିବ ବୋଲି ଅଞ୍ଜୁମନ ଇନ୍ତେଜାମିଆ ମସ୍‌ଜିଦ କମିଟି କହିଥିଲା।

Share