Categories: ଜାତୀୟ

କାହିଁକି ଆଶିଷଙ୍କ ଜାମିନ ଖାରଜ ନହେବ, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧୬।୩ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ବିରୋଧରେ ପୀଡ଼ିତ ଚାଷୀ ପରିବାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଏକ ଆବେଦନ କରାଯାଇଛି। ଏହାର ଶୁଣାଣି କରି ପ୍ରଧାନ ବିଚାରପତି ଏନ୍‌.ଭି. ରମନା, ସୂର୍ଯ୍ୟକାନ୍ତ ଏବଂ ହିମା ଖୋଲିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କାହିଁକି ଅଭିଯୁକ୍ତ ଆଶିଷଙ୍କ ଜାମିନ ଖାରଜ ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା କୋର୍ଟ କହିଛନ୍ତି।ଏହା ବ୍ୟତୀତ ଏହି ମାମଲାରେ ସାକ୍ଷୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହୋଲି ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଅପରାଧର ଗୁରୁତ୍ତ୍ୱକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶ ଭୁଲ ବୋଲି ଆବେଦନକାରୀଙ୍କ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି।

କୋର୍ଟରେ ଶୁଣାଣି ପୂର୍ବରୁ ସାକ୍ଷୀଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଚାରିଜଣ ଚାଷୀ ଏବଂ ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଦୁଇଜଣ ଭାଜପା କର୍ମୀ, ଜଣେ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ। ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସମୟରେ ଅଭିଯୁକ୍ତ ଆଶିଷ ଜାମିନ ପାଇଛନ୍ତି। ଏହାପୂର୍ବରୁ ଯେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏସଆଇଟି ତଦନ୍ତ ହସ୍ତାନ୍ତର ପରେ ଆଶିଷଙ୍କୁ ଗିରଫ କରାଯାଇଥିଲା।

ଅଭିଯୋଗ ହୋଇଛି ଯେ ଯେଉଁ ଗାଡି ଚାଷୀମାନଙ୍କୁ ଧକ୍କା ଦେଇଥିଲା ତାହା ଆଶିଷଙ୍କ ଗାଡି ଥିଲା। ଆଶିଷଙ୍କ ଜାମିନ ବିରୋଧରେ ଫେବୃଆରୀ ୧୦ ରେ ପୀଡ଼ିତ ଚାଷୀ ପରିବାର ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଶିଟନ୍‌ ଦାଖଲ କରିଥିଲେ।

ହାଇକୋର୍ଟ କହିଛନ୍ତି ଯେ ଏହା ମଧ୍ୟ ସମ୍ଭବ ଯେ ଡ୍ରାଇଭର ପ୍ରଦର୍ଶନକାରୀଙ୍କଠାରୁ ନିଜକୁ ବଞ୍ଚାଇବା ପାଇଁ ଗାଡିକୁ ତୀବ୍ର ବେଗରେ ଚଳାଇଥିଲେ ଏବଂ ଦୁର୍ଘଟଣା ଘଟିଥାଇପାରେ। ତେବେ ମୃତ ଚାଷୀଙ୍କ ପରିବାର ଏହି ସମ୍ଭାବନାକୁ ଏଡ଼ାଇ ଦେଉଛନ୍ତି। ଏହି ମାମଲାରେ ଉତ୍ତରପ୍ରଦେଶର ଏସଆଇଟି ପାଞ୍ଚ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ।

Share