ମହାମାରୀରେ କାଉଡ଼ି ଯାତ୍ରା, ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଜବାବ ତଲବ…

ନୂଆଦିଲ୍ଲୀ,୧୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଥିବାବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଶ୍ରାବଣ ମାସରେ ପ୍ରଭୁ ଶ୍ରୀମହାଦେବଙ୍କ ଉଦ୍ଦେଶ୍ୟରେ ହେଉଥିବା କାଉଡ଼ି ଯାତ୍ରାକୁ ଅନୁମତି ଦେଇଛନ୍ତି। ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଛି। ଏହି ଆବେଦନର ବିଚାରକରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଯୋଗୀ ସରକାରଙ୍କୁ ଜବାବ ତଲବ କରାଯାଇଛି। କାଉଡ଼ି ଯାତ୍ରା ଜୁଲାଇ ୨୫ରୁ ଆରମ୍ଭ ହୋଇ ଅଗଷ୍ଟ ୬ରେ ଶେଷ ହେବ। କରୋନା ମାର୍ଗଦର୍ଶିକା ପାଳନ କରି କମ୍‌ ସଂଖ୍ୟକ କାଉଡ଼ିଆଙ୍କ ଦ୍ୱାରା କାଉଡ଼ି ଯାତ୍ରା କରିବାକୁ ଯୋଗୀ ସରକାରୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମ୍‌କୋର୍ଟରେ ଏହି ମାମଲାର ବିଚାର କରୁଥିବା ବିଚାରପତି ଆର୍‌.ଏନ୍‌. ନରିମନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଯୋଗୀ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଦେଶରେ କରୋନା ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ଭିଡ଼ରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାର୍ଗଦର୍ଶିକା ସର୍ତ୍ତେ କାଉଡ଼ି ଯାତ୍ରା ସୁରକ୍ଷା ଦୃଷ୍ଟିରୁ କେତେ ଦୂର ଯୁକ୍ତିଯୁକ୍ତ ତାହା ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୬ରେ କରାଯିବ।

Share