Categories: ଜାତୀୟ

ନ୍ୟାୟ ବ୍ୟବସ୍ଥାରେ ଅଲିଭା ଦାଗ

ନୂଆଦିଲ୍ଲୀ, ୬ା୭: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଯୋଗୁ ଦେଶରେ ହିଂସାତ୍ମକ ବିକ୍ଷୋଭ ଏବଂ ଉଦୟପୁର ଦରଜି କହ୍ନେୟାଲାଲ ହତ୍ୟାକାଣ୍ଡ ଆଦି ପାଇଁ ସୁପ୍ରିମକୋର୍ଟ ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ଏକାକୀ ଦାୟୀ କରିଥିଲେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜେ. ବି. ପରଦିଓ୍ବାଲାଙ୍କ ଏହି ଟିପ୍ପଣୀକୁ କେତେଜଣ ପୂର୍ବତନ ବିଚାରପତି ଏବଂ ପ୍ରଶାସନିକ ଅଧିକାରୀ ସମାଲୋଚନା କରିଛନ୍ତି। ନୂପୁର ଲକ୍ଷ୍ମଣ ରେଖା ଡେଇଁଥିବା ଭଳି ଟିପ୍ପଣୀ ଦେଇ ସୁପ୍ରିମକୋର୍ଟ ବିଶ୍ୱର ସବୁଠୁ ବଡ଼ ନ୍ୟାୟ ବ୍ୟବସ୍ଥାରେ ଅଲିଭା ଦାଗ ଲଗାଇଛନ୍ତି ବୋଲି ଏହି ବିଚାରପତି ଗୋଷ୍ଠୀ କହିଛନ୍ତି। ଏହି ଗ୍ରୁପ୍‌ରେ ୧୫ ଜଣ ହାଇକୋର୍ଟର ପୂର୍ବତନ ବିଚାରପତି, ୭୭ ଜଣ ପୂର୍ବତନ-ଅଲ୍‌ ଇଣ୍ଡିଆ ସର୍ଭିସ୍‌ ଅଧିକାରୀ, ୨୫ ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ମନ୍ତବ୍ୟ ଭାରତ ସମେତ ଦେଶ ବାହାରେ ଥିବା ଲୋକଙ୍କୁ ମଧ୍ୟ ବିସ୍ମିତ କରିଛି ବୋଲି ଉକ୍ତ ଗୋଷ୍ଠୀ ମତବ୍ୟକ୍ତ କରିଛନ୍ତି। ଏ ସଂକ୍ରାନ୍ତରେ ଲେଖାଯାଇଥିବା ଖୋଲା ଚିଠିରେ ୧୧୭ ଜଣଙ୍କ ସ୍ବାକ୍ଷର ରହିଛି। ସୁପ୍ରିମକୋର୍ଟ ନୂପୁରଙ୍କ ବିରୋଧରେ କରିଥିବା ଟିପ୍ପଣୀ ଓ ଅନୁଧ୍ୟାନ ଉପରେ ପୁନର୍ବିଚାର କରିବାକୁ ଏହି ଗୋଷ୍ଠୀ ଦାବି କରିଛି।

Share