Categories: ଜାତୀୟ

ଅଧ୍ୟକ୍ଷ ପଦରୁ କାହିଁକି ଇସ୍ତଫା ଦେଇଥିଲେ ବାପା , ଖୁଲାସା କଲେ ଝିଅ

ମୁମ୍ବାଇ,୧୨।୧୦: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ଝିଅ ତଥା ଏମ୍‌ପି ସୁପ୍ରିୟା ସୁଲେ ଗୁରୁବାର ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଶରଦ ପାୱାରଙ୍କ ମେ’ରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର କାରଣ ହେଉଛି ବହୁ ଦଳର ନେତାଙ୍କ ଭାଜପାରେ ଯୋଗଦେବା ପାଇଁ ଜିଦ୍‌। ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ଦାବି କରିଛନ୍ତି, ଶରଦ ପାୱାର କେବେ ଇସ୍ତଫା ଦେବାକୁ ଚାହୁଁ ନ ଥିଲେ। ନିକଟରେ ଅଜିତ ପାୱାର ଦଳର ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଛଗନ ଭୁଜବଲ କହିଥିଲେ ଶରଦ ପାୱାର ଇସ୍ତଫା ଦେବେ ବୋଲି ଦଳ ନିଷ୍ପତ୍ତି ନେଇଛି।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଛଗନ ଭୁଜବାଲ ଏକ ମରାଠୀ ନ୍ୟୁଜ ଚ୍ୟାନେଲରେ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଛନ୍ତି, ଶରଦ ପାୱାର ଭାଜପା ସହ ଯିବାକୁ ପ୍ରସ୍ତୁତ ନଥିଲେ। ଏଭଳି ପରିସ୍ଥିତିରେନିଷ୍ପତ୍ତି ନିଆଯାଇଛି ଯେ, ସେ ଇସ୍ତଫା ଦେବେ ଏବଂ ସୁପ୍ରିୟା ସୁଲେଙ୍କୁ ଦଳର ମୁଖ୍ୟ କରାଯିବ। ଏନସିପି ଭାଜପା ସହ ଏକ ମେଣ୍ଟ ଗଠନ କରି ସରକାରଙ୍କ ଏକ ଅଂଶ ହୋଇଯିବ। ସୁପ୍ରିୟା ସୁଲେ କହିଛନ୍ତି , ଶରଦ ପାୱାରଙ୍କୁ ଆଘାତ ହୋଇଥିବାରୁ ସେ ଇସ୍ତଫା ଦେଇଛନ୍ତି। ଦଳର ଅନେକ ନେତା ତାଙ୍କୁ ବାରମ୍ବାର ଭାଜପା ସହ ଯିବାକୁ କହୁଥିଲେ।

Share