ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ

ବାଳକାଟୀ,୮।୧୨(ଡି.ଏନ୍‌.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବାଙ୍କ ରବିବାର ରାତିରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ୭୯ ବର୍ଷ ବୟସରେ ଆଖି ବୁଜିଛନ୍ତି। ଅସୁସ୍ଥତା ଯୋଗୁ ପ୍ରାୟ ଏକମାସ ଧରି ସେ ଚିକିତ୍ସିତ ହେଉଥିଲେ। ମୃତ୍ୟୁର ଖବର ଶୁଣିବା ପରେ ଆଶ୍ରମ ଅନ୍ତେବାସୀଙ୍କ ସମେତ ଭକ୍ତଙ୍କ ମହଲରେ ଶୋକରଛାୟା ଖେଳିଯାଇଛି। ପରେ ତାଙ୍କ ମୃତଦେହକୁ ଆଶ୍ରମକୁ ଅଣାଯାଇ ବିଧି ମୁତାବକ ଏହା ପରିସରରେ ସମାଧି ଦିଆଯାଇଛି। ସମାଧିସ୍ଥଳରେ ୨ ପୁଅ ସମେତ ପରିବାରବର୍ଗ, ସମ୍ପର୍କୀୟ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନିଜକୁ ଆତ୍ମଘୋଷିତ ଭଗବାନ ବୋଲି ଦାବି କରୁଥିବା ସୁର ବାବାଙ୍କୁ ୨୦୧୫ ଅଗଷ୍ଟ ୩୦ ରାତି ୨ଟାରେ କମିଶନରେଟ ପୋଲିସ ଆଶ୍ରମରୁ ଉଠାଇ ନେଇଥିଲା। ଆଶ୍ରମରେ ବିଭିନ୍ନ କେଳେଙ୍କାରୀ ଚାଲିଥିବା ନେଇ ସୂଚନା ମିଳିଥିଲା। ଜବରଦଖଲ, ଯୌନ ବ୍ୟଭିଚାର, ଗୁଣ୍ଡା ଗର୍ଦ୍ଦି ଏବଂ ହତ୍ୟା ଷଡ଼ଯନ୍ତ୍ର ଆଦି ଅଭିଯୋଗରେ ପୋଲିସ ଅଗଷ୍ଟ ୩୧ରେ ସୁର ବାବା ଓ ତାଙ୍କ ୨ ପୁଅଙ୍କୁ ପୋଲିସ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନେ ଜେଲ୍‌ ଯାଇଥିଲେ। ଚଢ଼ାଉବେଳେ ପୋଲିସ ଆଶ୍ରମରୁ ୨ ବନ୍ଧୁକ, ୩ ଗୁଳି ଓ ବହୁ କୋଟି ଟଙ୍କାର ସମ୍ପତ୍ତି ସହ ନଗଦ ଟଙ୍କା ଜବତ କରିଥିଲା। ସୁରଙ୍କ ଏହି କଳାକାରନାମାର ଚେର ଓଡ଼ିଶା ସମେତ ବାହାର ରାଜ୍ୟ ଓ ବିଦେଶକୁ ଲମ୍ବିତଥିବା ପୋଲିସ ସୁରାକ ପାଇଥିଲା। ପରବର୍ତ୍ତୀ ସମୟରେ ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କ ନାମରେ ଥିବା ୧୫ କୋଟିର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଥିଲା। ଗିରଫର ଅଢ଼େଇ ବର୍ଷପରେ ସୁର ବାବାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ୨୦୧୭ ଡିସେମ୍ବର ୨ରେ ଜେଲରୁ ମୁକୁଳି ଥିଲେ।

Share