ପୁଅ ପାଇଁ ଭୋଟ ମାଗୁଛନ୍ତି ସୁର ରାଉତରାୟ: ଭିଡିଓ ଭାଇରାଲ

ଭୁବନେଶ୍ୱର,୩ା୪(ଅନିଲ ଦାସ):କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗୁ ମାଗୁ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ ମ୍ୟାଚ୍‌ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ। ସେଠାରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ଗତ ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି। ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି। ଏଥର ସୁଶାନ୍ତ ହିଁ ଜିତିବେ ବୋଲି ଦୃଢ଼ୋକ୍ତି ସହ କହିଥିଲେ। ଖାଲି ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ଅଫର୍‌ ଦିଆଯାଇଛି। ଜଗନ୍ନାଥ ବଡ଼ ସୁଯୋଗ ଦେଇଛନ୍ତି, ମାଡ଼ି ଚାଲ ବୋଲି ମନ୍ମଥଙ୍କୁ କହିଥିଲେ। ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ କହିଥିବା ଭିଡିଓ ଭାଇରାଲ ହେଉଛି। ସୁରଙ୍କ ଏଭଳି ଭିଡିଓକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସେ ଯିଏ ହୁଅନ୍ତୁନା କାହିଁକି ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ହେବ। ବିଜେଡି ପାଇଁ ଭୋଟ୍‌ ମାଗିବାର ଏହି ଭିଡିଓକୁ ସୁର ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଦଳ ନୁହେଁ, ଖେଳ ମିଟିଂକୁ ଯାଇଥିଲେ।

Share