କଂଗ୍ରେସରୁ ସୁର ରାଉତରାୟଙ୍କ ପୁଅଙ୍କୁ ନିଲମ୍ବିତ

ଭୁବନେଶ୍ୱର,୮।୯: ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏ ନେଇ ଓ ପ୍ରଦେଶ କଂଗ୍ରେସ ଡିସିପ୍ଲିନାରୀ
ଆକ୍ସନ କମିଟି ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି। ମନ୍ମଥ କଂଗ୍ରେସରେ ପିସିସି ସଦସ୍ୟଥିଲେ। ହେଲେ ସେ ସ୍ବାଧୀନ ଏବଂ ତାଙ୍କର କେଉଁ ରାଜନୈତିକ ଦଳ ସହ ସମ୍ପୃକ୍ତି ନାହିଁ ବୋଲି କିଛି ଦିନ ତଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ। ଏ ନେଇ କଂଗ୍ରେସ ପକ୍ଷରୁ ଗୁରୁବାର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ସେ ତାହାର ଉତ୍ତର ଦେଇ ନଥିଲେ। ଏଥିପାଇଁ ତାଙ୍କୁ ଦଳରୁ ନଲମ୍ବନ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ମନ୍ମଥ କଂଗ୍ରେସରୁ ଲଢ଼ିବେନି ବୋଲି କହିଥିଲେ। ତେବେ କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ବୋଲି ଗଣମାଧ୍ୟମରେ କହିଥିଲେ। ମନ୍ମଥଙ୍କ ଏପରି ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଥିଲା। ଗୋଟିଏ ପକ୍ଷରେ ପୁଅ ମନ୍ମଥ କଂଗ୍ରେସରୁ ଲିବେ ବୋଲି ସୁର ରାଉତରାୟ କହୁଥିବା ବେଳେ ଅନ୍ୟ ପକ୍ଷରେ ମନ୍ମଥ କଂଗ୍ରେସରୁ ଲଢ଼ିବେନି ବୋଲି କହିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Share