କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା ଲାଗି ଟିକେଟ ଦେଇଛି କଂଗ୍ରେସ । ଏବେ ସୁର ରାଉତରାୟ କରିବେ କଣ ? ଦୁଇ ପୁଅଙ୍କ ଲାଗି ମଇଦାନକୁ ଯିବେ ନା କେବଳ ମନ୍ମଥଙ୍କ ଲାଗି ଭୁବନେଶ୍ୱରରେ ରହିବେ । ଯାହାକୁ ନେଇ ଏବେ ସଙ୍କଟରେ ପଡ଼ି ଯାଇଛନ୍ତି ସୁର । ପୂର୍ବରୁ ସାନ ପୁଅ ମନ୍ମଥଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସୁର । କିନ୍ତୁ କଂଗ୍ରେସରୁ ଟିକେଟ୍‌ ମିଳିବା ପରେ ସିଦ୍ଧାର୍ଥ କହିଛନ୍ତି, କେବଳ ଆଶୀର୍ବାଦ ନେବି, ପ୍ରଚାରକୁ ବାପାଙ୍କୁ ଡାକିବିନି ।

ସାନ ପୁଅ ପାଇଁ ଜୋରଦାର ପ୍ରଚାର ଜାରି ରଖିଥିବା ସୁର, ଏବେ ବଡ଼ ପୁଅ ପାଇଁ କରିବେ କ’ଣ? ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରିଥିବା ସୁର, ଏବେ କ’ଣ କଂଗ୍ରେସ ପାଇଁ ପ୍ରଚାର କରିବେ? ଭୁବନେଶ୍ବରରେ ବିଜେଡିରୁ ମନ୍ମଥଙ୍କ ପାଇଁ ଭୋଟ ମାଗିବେ, ନା ନିମାପଡ଼ାରେ କଂଗ୍ରେସରୁ ସିଦ୍ଧାର୍ଥଙ୍କ ପାଇଁ କରିବେ ପ୍ରଚାର । ଏନେଇ ଏବେ ସଙ୍କଟରେ ସୁର ରାଉତରାୟ। ତେବେ ମନ୍ମଥଙ୍କ ପ୍ରଚାର କରିବାରୁ ସୁରଙ୍କୁ କଂଗ୍ରେସ ଦଳୀୟ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଉଟ କରି ଦେଇଛି । ଦଳରୁ ବିଦା ହେବା ପରେ ଏବେ ମନ୍ମଥଙ୍କ ଲାଗି ଖୋଲାଖୋଲି ଭୋଟ ମାଗୁଛନ୍ତି ସୁର ।

ନିମାପଡ଼ା ଲାଗି ବଡ଼ ପୁଅ ସିଦ୍ଧାର୍ଥଙ୍କୁ ଟିକେଟ ଦେଇଛି କଂଗ୍ରେସ । ଟିକେଟ୍‌ ମିଳିବା ପରେ ସିଦ୍ଧାର୍ଥ କହିଛନ୍ତି, ଭୁବନେଶ୍ୱରରେ ଶଙ୍ଖ, ନିମାପଡାରେ ହାତ ପାଇଁ ପ୍ରଚାର ଭଲ ଦିଶିବନି । ବାପାଙ୍କୁ ଭୋଟ ପ୍ରଚାର ପାଇଁ ଡାକିବି ନାହିଁ, କେବଳ ଆଶୀର୍ବାଦ ନେବି । ଦଳ ଯେହେତୁ ବହିଷ୍କାର କରିଛି ତାଙ୍କ ବାଟରେ ତାଙ୍କୁ ଛାଡି ଦିଆଯାଉ। ବାପା ନୁହନ୍ତି, ଭିଣୋଇ ପ୍ରସାଦ ହରିଚନ୍ଦନ ଆସିଲେ ଭଲ ହେବ ବୋଲି କହିଛନ୍ତି ସିଦ୍ଧାର୍ଥ। ସୁର ବି ରୋକ ଠୋକ କହିଛନ୍ତି, ବଡ ପୁଅ ଡାକିଲେ ପ୍ରଚାରକୁ ଯିବେ, ନଚେତ ନିଜ ଆଡ଼ୁ ଯିବେ ନାହିଁ ।